ସଂସଦରେ ଶୁଭିଲା ଓଡିଆ ମହିଳା ସାଂସଦଙ୍କ ସ୍ୱର । ଜାଣନ୍ତୁ କେଉଁ ସାଂସଦଙ୍କ ଦାବି କଣ ରହିଲା?

624

କନକ ବ୍ୟୁରୋ : ସଂସଦରେ ଆଜି ପ୍ରଥମଥର ପାଇଁ ଓଡିଶାର ଦାବି ରଖିଛନ୍ତି ବିଜେଡିର ମହିଳା ସାଂସଦ । ପ୍ରଥମଥର ପାଇଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିବା ସାଂସଦ ପ୍ରମିଳା ବିଶୋଇ, ଚନ୍ଦ୍ରାଣୀ ମୁର୍ମୁ, ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକ ନିଜ ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇଛନ୍ତି । ଆସ୍କା ସାଂସଦ ପ୍ରମିଳା ବିଶୋଇ ଏବଂ କେଉଁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ କହିବାକୁ ଡାକିବା ବେଳେ ନିଜେ ବାଚସ୍ପତି ଉଭୟଙ୍କ ବିଷୟରେ ସଂସଦରେ ବର୍ଣ୍ଣନା କରିଛନ୍ତି ।

ସଂସଦରେ କହିବା ପାଇଁ ଯେତେବେଳେ ପ୍ରମିଳା ବିଶୋଇଙ୍କୁ ବାଚସ୍ପତି ଡାକିଲେ, ନିଜେ ବାଚସ୍ପତି ମଧ୍ୟ ତାଙ୍କ ବିଷୟରେ ଦୁଇ ପଦ କହିଲେ । କାରଣ, ଅତି ସାଧାରଣ ଓ ଗରିବ ପରିବାରରୁ ଏଭଳି ମହିଳା ନିର୍ବାଚନ ଜିତି ସଂସଦକୁ ଯିବା କେବେ ଦେଖାଯାଇନଥିଲା । ବାଚସ୍ପତିଙ୍କ ପ୍ରଂଶସା ପରେ ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିଥିଲେ ଆସ୍କା ସାଂସଦ ପ୍ରମିଳା ବିଶୋଇ । ମହିଳା ସଶକ୍ତୀକରଣ ପ୍ରସଙ୍ଗ ଉଠାଇ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ କଥା କହିଥିଲେ ପ୍ରମିଳା । ଗତବର୍ଷ ଅର୍ଥାତ ୨୦୧୮ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ୪୫୦୦ ଟଙ୍କା ବଢାଇଥିଲେ । ମାତ୍ର ଏତିକି ଅର୍ଥ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ସମାଜରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ମହିଳାମାନଙ୍କ ପାଇଁ ଏହା ଠିକ ନୁହେଁ ସେମାନଙ୍କୁ ଉଚିତ ସମ୍ମାନ ମିଳିବା ଉଚିତ । ତେଣୁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ମାସିକ ଭତ୍ତା ୧୫ ହଜାର ଟଙ୍କାକୁ ଏବଂ ସହାୟିକାଙ୍କ ଭତ୍ତା ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ପ୍ରମିଳା ଗୃହରେ ଦାବି କରିଥିଲେ ।

କେବଳ ପ୍ରମିଳା ନୁହଁନ୍ତି ବରଂ ସଂସଦରେ ଓଡିଶାର କେଉଁଝରରୁ ନିର୍ବାଚିତ ହୋଇଥିବା ସବୁଠାରୁ କନିଷ୍ଠ ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ଦିଲ୍ଲୀ ଦରବାରରେ ନିଜ ଜିଲ୍ଲାର ଭବିଷ୍ୟତ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । ରାଉରକେଲା ଭଳି କେନ୍ଦୁଝରରେ ମଧ୍ୟ କେନ୍ଦ୍ର ସରକାରଙ୍କ ସହାୟତାରେ ଏକ ଷ୍ଟିଲ ପ୍ଲାଣ୍ଟ କରାଯାଉ ବୋଲି ଦାବି କରିଛନ୍ତି ଚନ୍ଦ୍ରାଣୀ ।

ଅନ୍ୟପଟେ ଯାଜପୁର-କେଉଁଝର ରୋଡ୍-ଧାମରା ଦେଇ ରେଳ ଚଳାଚଳ ପ୍ରସଙ୍ଗ ଉଠାଇଥିଲେ ବିଜେଡିର ନବନିର୍ବାଚିତ ସାଂସଦ ଶର୍ମିଷ୍ଠା ସେଠୀ । ପ୍ରସିଦ୍ଧ ଶକ୍ତିପୀଠ ବିରଜାକ୍ଷେତ୍ରରେ ପର୍ଯ୍ୟଟକ ବୃଦ୍ଧି ସହ ଇକୋ ଟୁରିଜିମ୍ ପାଇଁ ଏହା ସହାୟକ ହେବ ବୋଲି ପ୍ରସ୍ତାବ ଦେଇଥିଲେ ବିଜେଡିର ଏହି ମହିଳା ସାଂସଦ । ସେହିପରି ସଂସଦରେ କଟକରୁ ନୂଆଗାଁ ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ସଂସଦରେ ଦାବି କରିଥିଲେ ରାଜଶ୍ରୀ ।