ଓଡିଶାର ଦାବି ରଖିଲା କେନ୍ଦ୍ର : ରାଜ୍ୟକୁ ମିଳିବ ୮୫ ପ୍ରତିଶତ ଚାଉଳ

20

କନକ ବ୍ୟୁରୋ : ଓଡିଶାର ଦାବି ରଖିଲା କେନ୍ଦ୍ର । ଏଣିକି ରାଜ୍ୟକୁ ମିଳିବ ଅଧିକ ପରିମାଣର ଚାଉଳ । ଗହମ ପରିମାଣ କମିବ । ଦାବି ମୁତାବକ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଦିଆଯିବ ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ କହିଛି । ଏନେଇ କେନ୍ଦ୍ରରୁ ରାଜ୍ୟ ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଓଡିଶାକୁ ୮୫ ଦଶମିକ ୪୭ ଭାଗ ଚାଉଳ ଏବଂ ୧୪ ଦଶମିକ ୫୭ ଭାଗ ଗହମ ମିଳିବ । ଚାଉଳ ଗହମର ଏହି ହାର ପିଛିଲା ଭାବେ ମେ ୨୦୧୬ରୁ ଲାଗୁ ହେବ । ପୂର୍ବରୁ ଓଡିଶାକୁ ୭୮ ଦଶମିକ ୧୮ ହାରରେ ମାସକୁ ୧ଲକ୍ଷ ୩୩ ହଜାର ୯୭୨ ଟନ୍ ଚାଉଳ ମିଳୁଥିଲା । ସେହିପରି ୨୧ ଦଶମିକ ୧୮ ହାରରେ ୩୫ ହଜାର ୯୭୮ ଟନ୍ ଗହମ ଦିଆଯାଉଥିଲା । ମେ ମାସରୁ ପରିବର୍ତିତ ହାରରେ ୧ ଲକ୍ଷ ୪୫ ହଜାର ୮୫୯ ଟନ୍ ଚାଉଳ ଏବଂ ୨୪ ହଜାର ୮ ଶହ ଟନ୍ ଗହମ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଚିଠି ଲେଖି ଏହା ଜଣାଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ । ପୂର୍ବରୁ ରାଜ୍ୟର ଚାଉଳ ଦାବି ନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତରରେ ଧର୍ମେନ୍ଦ୍ରଙ୍କୁ ବି ଚିଠି ଲେଖି ଜଣାଇଛନ୍ତି ପାଶୱାନ୍ । ସେପଟେ ଓଡିଶାର ଲୋକଙ୍କ ଦାବି ପ୍ରତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଚେତନ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।