୨୦୩୬ ହେବ ଗରିବୀମୁକ୍ତ ଓଡିଶା ! ସ୍ୱାଧୀନତା ଦିବସର ଏହି ଅଭିଭାଷଣକୁ ନେଇ ରାଜ୍ୟ ରାଜନୀତିରେ ଝଡ . . ଜାଣନ୍ତୁ ସତ କଣ

159

କନକ ବ୍ୟୁରୋ: ଗରିିବୀ ବୋଝରୁ ମୁକ୍ତ ହେଉଛି ଓଡିଶା । ଦ୍ରୁତ ବିକାଶ ହେଉଛି । ପ୍ରଗତୀ ପଥରେ ଆଗଉଛି । ଏପରିକି ୨୦୩୬ ସୁଦ୍ଧା ଓଡିଶାରୁ ଗରିବୀ ସଂପୂର୍ଣ୍ଣ ହଟି ସାରିଥିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିଭାଷଣ ପରେ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି କଣ ସତରେ ବିକାଶ ହୋଇଛି ନା ଖାଲି ଭାଷଣରେ ଆଗଉଛି ରାଜ୍ୟ । ପ୍ରକୃତରେ ଧାର୍ଯ୍ୟସମୟ ଭିତରେ ହଟିପାରିବ ତ ଗରିବୀ । ଏହାକୁ ନେଇ ଆରମ୍ଭ ହୋଇଛି ବିଚାରବିମର୍ଷ ।

ପଞ୍ଚାୟତ ନିର୍ବାଚନ ପରେ ଉତ୍ତରପ୍ରଦେଶର ଏକ ନିର୍ବାଚନୀ ସଭାରେ ଓଡିଶାର ଗରିବୀ ପଣକୁ ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାରି ପର ଠାରୁ ଓଡିଶାର ଗରିବୀକୁ ନେଇ ଅନେକ ତର୍କ ବିକର୍ତ ବିଚାର ବିମର୍ଷ ହୋଇଛି । ଏବେ ଓଡିଶାରୁ ଗରିବୀ ହଟୁଥିବା ଦୃଢ଼ୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଭାରତର ବିକାଶରେ ଓଡିଶା ନିଜର ସ୍ଥିତି ମଜବୁତ କରିଛି । ସାରା ଦେଶରେ ଦାରିଦ୍ର୍ୟ ହ୍ରାସରେ ଓଡିଶା ଆଗରେ ରହିଛି । ଭାରତ ସରକାରଙ୍କ ନୀତି ଆୟୋଗ ଏହି ରିପୋର୍ଟ ଦେଇଥିବା କହିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରୁ ୨୫ ପ୍ରତିଶତ ଗରିବୀ ହଟିଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହ କହିଛନ୍ତି ଆଗାମୀ ପାଂଚ ବର୍ଷ ମଧ୍ୟରେ ଦ୍ରୁତ ବେଗରେ କମିବ ଦାରିଦ୍ର୍ୟ । ୨୦୩୬ରେ ଯେତେବେଳେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେବର୍ଷ ପାଳନ ହେବ ସେତେବେଳକୁ ରାଜ୍ୟ ସଂପୂର୍ଣ୍ଣ ଗରିବମୁକ୍ତ ହୋଇ ସାରିଥିବ ।

ଓଡିଶା ଯେ ଗରିବ ରାଜ୍ୟ ଏକଥାକୁ କେବଳ ନବୀନ କି ମୋଦି କହି ନାହାଁନ୍ତି ଛୟାନବେ ବର୍ଷ ପୂର୍ବେ ଏ ପ୍ରସଙ୍ଗ ଉଠାଇଥିଲେ ଜାତିରଜନକ ମହାତ୍ମାଗାନ୍ଧୀ । ‘ୟଙ୍ଗ ଇଣ୍ଡିଆ’ରେ ‘ମୋର ଓଡିଶା ଗସ୍ତ’ ଶୀର୍ଷକରେ ଓଡିଶାର ଦୁର୍ଭିକ୍ଷ ସମୟର ଚିତ୍ର ବଖାଣିଥିଲେ ବାପୁ । ଚମ୍ପାରଣ ପରେ ଓଡିଶା ଦାରିଦ୍ର୍ୟତାର ଚିତ୍ର ବଦଳାଇବାକୁ ଯାଇ ଓଡିଶାକୁ ଖଦଡର ଭଣ୍ଡାର କରିବାକୁ ପରାମର୍ଶ ଦେଇଥିଲେ । ତେବେ ୧୯୨୧ରେ ଗାନ୍ଧୀ ଦେଖିଥିବା ଓଡିଶା ଓ ୨୦୧୭ରେ ମୋଦି ବଖାଣିଥିବା ଓଡିଶାର ଚିତ୍ର ମଧ୍ୟରେ ସମାନତା ଅଛି ନା କିଛି ପରିବର୍ତ୍ତନ ହୋଇଛି ସେନେଇ ଅନେକ ଆଲୋଚନା ହୋଇଛି । ନଗଡାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଓ କାଶୀପୁରର ଆମ୍ବ ଟାକୁଆ ଖାଇ ଲୋକେ ଅସୁସ୍ଥ ହେବା, ମାତୃ ଓ ଶିଶୁ ମୃତ୍ୟୁହାରରେ ବୃଦ୍ଧି, ପିଲା ବିକ୍ରି, ଅନାହାର ମୃତ୍ୟୁ ଓ ଦାଦନ କଷ୍ଟକୁ ଅନୁଶୀଳନ କଲେ ରାଜ୍ୟରେ ଗରିବୀ ରହିଛି ଏହାକୁ ମାନିଛନ୍ତି ସମସ୍ତେ । ହେଲେ ଅନ୍ତ କେଉଁଠି ସେନେଇ କଣ ପଦକ୍ଷେପ ନିଆଯାଇପାରେ ପ୍ରଶ୍ନର ଉତ୍ତର ଯେମିତି କାହାରି ପାଖରେ ନାହିଁ ।

ସର୍ବଭାରତୀୟ ସ୍ତରରେ ଦାରିଦ୍ର୍ୟ ପରିପ୍ରେକ୍ଷୀରେ କେବଳ ଓଡିଶାର ନାଁ ନାହିଁ । ୨୦୧୧-୧୨ରେ ଆକଳନ କରାଯାଇଥିବା ଦାରିଦ୍ର୍ୟ ରିପୋର୍ଟ ଆଧାରରେ ଓଡିଶାର ଦାରିଦ୍ର୍ୟ ହାର ୩୨.୫୯ ପ୍ରତିଶତ ଥିଲା । ତେବେ ଛଚ୍ଛିଶଗଡରେ ୩୯.୯୩ ପ୍ରତିଶତ, ଝାରଖଣ୍ଡର ୩୬.୯୬ ପ୍ରତିଶତ, ମଣିପୁରରେ ୩୬.୮୯ ପ୍ରତିଶତ ଓ ଅରୁଣାଚଳ ପ୍ରଦେଶରେ ୩୪.୬୭ ପ୍ରତିଶତ ଦାରିଦ୍ର୍ୟ ହାର ଥିବା ବେଳେ ବିହାରରେ ଏହା ଥିଲା ୩୩.୭୪ ପ୍ରତିଶତ । ତେଣୁ ଏଥିରୁ ସ୍ପଷ୍ଟ ଯେ ଜାତୀୟ ସ୍ତରରେ କେବଳ ଓଡିଶାର ଦାରିଦ୍ର୍ୟ ମାନଚିତ୍ର ବିକୃତ ନୁହେଁ ବରଂ ଓଡିଶା ଠାରୁ ବହୁ ଆଗରେ ଏହି ସବୁ ରାଜ୍ୟ ଗୁଡିକ ରହିଛି ।

ତେବେ ଓଡିଶାର ଗରିବୀ ହଟାଇବା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ଭିଜନ ୨୦୩୬କୁ ଉପସ୍ଥାପନ କରିବା ପରେ ରାଜ୍ୟ ରାଜନୀତି ଏହାକୁ ନେଇ ସରଗରମ ହୋଇଛି । ଅର୍ଥନ÷ତିକ ସମୀକ୍ଷକ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେପି ନେତା ପୃଥୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀ ଆହୁରି ୧୯ ବର୍ଷ ସମୟ ମାଗିବା ଦୁର୍ଭାଗ୍ୟଜନକ । ନିଜ କାର୍ଯ୍ୟକାଳ ମଧ୍ୟରେ ଯୋଜନା ପ୍ରସ୍ତୁତ ନକରି କେବଳ ସମୟ ମାଗିବା ଠିକନୁହେଁ । ଗ୍ରାମାଞ୍ଚଳର ଚିତ୍ର ଦେଖିଲେ କେତେ ଗରିବୀ କମିଛି ତାହା ସ୍ପଷ୍ଟ ଜଣାପଡୁଛି । ତେଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେବା ଦରକାର ।

ସେହିପରି ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚଟଙ୍କିଆ ଭାତ ଡାଲମା ଓ ଟଙ୍କିକିଆ ଚାଉଲ ଯୋଜନା ପାଇଁ ଲୋକେ କାମ କରିବାକୁ ଚାହୁଁ ନାହାଁନ୍ତି । ଗରିବୀ ହଟାଇବା ପାଇଁ କୌଣସି ବିଧିବଦ୍ଧ ଯୋଜନା ନକରି କେବଳ ଉପର ଠାଉରିଆ ଭାବେ ୨୦୩୬ରେ ଗରିବୀମୁକ୍ତ ଓଡିଶା ହୋଇଯାଇଯାଇଥିବ କହିବା ହାସ୍ୟାସ୍ପଦ ।

ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ରବିଦାସ କହିଛନ୍ତି ୨୦୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତୀକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ବିବୃତି ଦେଇଛନ୍ତି । ଗୋଟିଏ ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ନେଇ ପଦକ୍ଷେପ ନେବା ଉଚିତ । ତେଣୁ ନବୀନ ଏହାକୁ ଅନୁସରଣ କଲେ ଭଲ ହେବ ।

ଗୋଟିଏ ପଟେ ରାଜ୍ୟରେ ଗରିବୀ କମିବାର ନାଁ ନେଉ ନାହିଁ । ଉପାନ୍ତରୁ ଉପକୂଳ ସବୁଠି ଗରିବୀର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଗାଁକୁ ରାସ୍ତା ନାହିଁ ତ କେଉଁଠି ପ୍ରସୂତୀଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ପ୍ରତିଦିନ ଏଭଳି ଖବର ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ରାଜନୀତି ବି ଜୋର ଧରୁଛି । ତେବେ ଆଗାମୀ ଦିନରେ ପ୍ରକୃତରେ ଓଡିଶାର ଗରିବୀ ହଟୁଛି ନା ବଢ଼ୁଛି ତାହା ଉପରେ ସମସ୍ତଙ୍କର ନଜର ।