କୋର୍ଟ ଯିବ ‘ରସଗୋଲା’ ! ଓଡ଼ିଶା-ପଶ୍ଚିମବଙ୍ଗ ରସଗୋଲା ଯୁଦ୍ଧରେ ନୂଆ ମୋଡ, ଜିଆଇ ଟ୍ୟାଗ ହାସଲ କରିବା ପାଇଁ ଆରମ୍ଭ ହେବ ଆଇନଗତ ଲଢେଇ

114

କନକ ବ୍ୟୁରୋ : ଓଡିଶା ପଶ୍ଚିମବଙ୍ଗ ରସଗୋଲା ଯୁଦ୍ଧରେ ନୂଆମୋଡ । ଜିଆଇ ଟ୍ୟାଗ୍ ହାସଲ କରିବାକୁ କୋର୍ଟ ଯିବ ପଶ୍ଟିମବଙ୍ଗ । ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ କହିଛନ୍ତି, ରସଗୋଲା ବାବଦରେ ଓଡିଶାର ଯୁକ୍ତିକୁ ସେ ଛାଡିବେ ନାହିଁ । ସେ କହିଛନ୍ତି, ରସଗୋଲା ପଶ୍ଚିମବଙ୍ଗରୁ ହିଁ ଉତ୍ପତି ହୋଇଛି । କୋର୍ଟ ନିଷ୍ପତି ନେବାଯାଏଁ ପଶ୍ଚିମବଙ୍ଗ ଲଢେଇ କରିବ । ୨୦୧୫ରେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲା ବିବାଦ ଆରମ୍ଭ ହୋଇଥିଲା ।

ras gulla 12ଏହାପରେ ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ତତ୍ପର ହୋଇ ଉଠିଥିଲେ ରାଜ୍ୟ ସରକାର । ଏ ନେଇ ଏକ କମିଟି ମଧ୍ୟ ଗଠନ କରିଥିଲେ ସରକାର । ଏଥିସହ ପାହାଳଠାରେ ଏକ ରସଗୋଲା କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି ।ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଏଥିପାଇଁ ଆବେଦନ କରିସାରିଛନ୍ତି । ତେବେ ରାଜ୍ୟ ସରକାର ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ। ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆନ୍ତି । ଏହି ରସଗୋଲା ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡ଼କୁ କେଳୁ ଚରଣ ବେହେରା ପାହାଳ ଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

କିମ୍ବଦନ୍ତୀ ଅନୁସାରେ –
ପାହାଳ ରସଗୋଲାକୁ ନେଇ ରହିଛି ଲୋକକଥା । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ତେଣୁ ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ବାହାରେ ଫୋପାଡି ଦେଉଥିଲେ ସ୍ଥାନୀୟ ବାସିନ୍ଦା । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସିଥିବା ଇତିହାସ କହେ ।

ରସଗୋଲା ଓଡିଶାର । ପଂଚଶଖା ଯୁଗର କାଳଜୟୀ ସୃଷ୍ଟିରୁ ଏନେଇ ମିଳିଛି ପ୍ରମାଣ । ଦାଣ୍ଡି ରାମାୟଣରେ ରସଗୋଲା ଶବ୍ଦର ଉଲ୍ଲେଖ ଥିବା ବିଶେଷଜ୍ଞ ଦାବି କରିଛନ୍ତି । ରସଗୋଲାର ପ୍ରମାଣ ଖୋଜିବାରେ ସରକାର ବ୍ୟସ୍ତ ଥିବା ବେଳେ ବିଶେଷଜ୍ଞଙ୍କ ଏହି ତଥ୍ୟ ସଂଗ୍ରହ, ରାଜ୍ୟବାସୀଙ୍କ ମନରେ ଜିଆଇ ଟ୍ୟାଗ୍ ନେଇ ନୂଆ ଆଶା ସଂଚାର କରିଛି । ହେଲେ ଏଯାଏଁ ଜିଆଇ ଟ୍ୟାଗ୍ ହାସଲ ପ୍ରକ୍ରିୟା କଛପ ଗତିରେ ଚାଲିଛି ।

kesar bangali rasgullaପଂଚଶଖା ଯୁଗର କାଳଜୟୀ ସୃଷ୍ଟି-ଦାଣ୍ଡି ରାମାୟଣ । ଏହି ଧର୍ମ ଗ୍ରନ୍ଥର ୭୬ ନମ୍ବର ପୃଷ୍ଠାରେ ସ୍ୱଷ୍ଟ ଲେଖା ହୋଇଛି-ରସଗୋଲା ଶବ୍ଦ । ଦାଣ୍ଡି ରାମାୟଣର ପୃଷ୍ଟା ନମ୍ବର ୭୪, ୭୫, ୭୬ ଏବଂ ୭୭ରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସଂପର୍କରେ ଆଲୋଚନା ରହିଛି । ଭରଦ୍ୱାଜ ଆଶ୍ରମରେ ଭରତଙ୍କୁ ଋଷିମାନେ ଅଭ୍ୟର୍ଥନା ଦେବା ସମୟରେ ଏହି ବ୍ୟଞ୍ଜନ ସବୁ ପରଷି ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ପଶ୍ଚିମବଂଗରେ ରସଗୋଲା ମିଳିବାର ପ୍ରାୟ ୩ଶହ ବର୍ଷରୁ ପୂର୍ବରୁ ଓଡିଶାରେ ଥିଲା ରସଗୋଲା ।
ଏଠି ବର୍ଣ୍ଣିତ ବ୍ୟଞ୍ଜନ ଓଡିଶାର ଘରେ ଘରେ ପ୍ରଚଳିତ ବୋଲି ବିଶେଷଜ୍ଞ ଦାବି କରିଛନ୍ତି । ରସଗୋଲା ତଥ୍ୟ ପ୍ରମାଣ ଖୋଜିବାରେ ରାଜ୍ୟ ସରକାର ଧୀର ଗତିରେ ଚାଲୁଛନ୍ତି । ଏପଟେ କିନ୍ତୁ ବିଶେଷଜ୍ଞଙ୍କ ହାତରେ ରହିଛି ବଡ଼ ପ୍ରମାଣ । ସେହିପରି ଶ୍ରୀଜଗନ୍ନାଥ ଓ ମଠ ସହିତ ରସଗୋଲାର ସଂପର୍କ ଥିବା ନେଇ ତଥ୍ୟ ବି ମିଳିିଛି । ରସଗୋଲା ଓଡିଶାର ବୋଲି ପ୍ରମାଣିତ କରିବା ଲାଗି ଏସବୁ ତଥ୍ୟ ଯଥେଷ୍ଟ ବୋଲି ଅନୁମାନ କରାଯାଉଛି ।

ରସଗୋଲାକୁ ନିଜର ବୋଲି ଦାବି କରିବା ସହ ଜିଆଇ ଟ୍ୟାଗ ହାସଲ ପାଇଁ ପଶ୍ଚିମବଙ୍ଗ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ଆଉ ଏହାକୁ ନେଇ ଗଠନ ହୋଇଥିଲା କମିଟି । ହେଲେ ଏହି କମିଟି ରସଗୋଲା ସଂପର୍କିତ ତଥ୍ୟ ରଖିବା ନେଇ ଏକ ପ୍ରକାର ବିଫଳ ହୋଇଥିଲା ।
ରସଗୋଲା ଉପରେ ନିଜ ହକ୍ ଜାରି କରିବାକୁ ଗତ କିଛି ବର୍ଷ ଧରି ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ଗୋଟିଏ ପରେ ପଡୋଶୀ ରାଜ୍ୟ ରସଗୋଲାକୁ ନେଇ ଜିଆଇ ଟ୍ୟାଗ ହାସଲ କରିବାକୁ ସରକାରୀ ସ୍ତରରେ ସମସ୍ତ କାର୍ୟ୍ୟ ସାରିଦେଇଛି । ଅପରପକ୍ଷରେ ଓଡିଶାର ବିଶେଷଜ୍ଞମାନେ ସାମ୍ନାକୁ ଆଣିଛନ୍ତି ନୂଆ ତଥ୍ୟ । ଯାହା ଓଡ଼ିଶା ପାଇଁ ଜିଆଇ ଷ୍ଟାଟସ୍ ପଂଜୀକରଣ ଦିଗରେ ସହାୟକ ହେବ । ଆଉ ଏହାରି ଭିତରେ ନଜର ରହିଛି, ଓଡିଶା ସରକାର ରସଗୋଲା ବାବଦରେ ଜିଆଇ ଟ୍ୟାଗ୍ ହାସଲ କରିବାରେ ସଫଳ ହେଉଛନ୍ତି ନା ନାହିଁ ।