ଅସହ୍ୟ ତାତି ସହ ଗୁଳୁଗୁଳି :୧୬, ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହେବା ନେଇ ପାଣିପାଗ ବିଭାଗର ସୂଚନା

29

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏବେ ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେବ୍ ଜାରି ରହିଛି । ଶନିବାର ଟିଟିଲାଗଡ ପୁଣି ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ୪୪. ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି ଏହା ୪୫ ଡିଗ୍ରୀ ଟପିବାର ଆଶଙ୍କା ରହିଛି ।

ଟିଟିଲାଗଡ ପରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହେଉଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତା ୧୬, ୧୭ ତାରିଖ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଅସହ୍ୟ ହେବ ।  ଆଜି ଉପକୂଳ ଓଡିଶାର କେତେ ସ୍ଥାନରେ ରୌଦ୍ରତାପ ବଢିବ । କଟକ, ଭୁବନେଶ୍ୱର, ଚାନ୍ଦବାଲି ଭଳି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁବ ବୋଲି ପୂର୍ବାମାନ କରିଛି ପାଣିପାଗ ବିଭାଗ । ଗରମ ସାଙ୍ଗକୁ ଗୁଳୁଗୁଳୁ ଉପକୂଳବାସୀଙ୍କୁ ଆହୁରି ହନ୍ତସନ୍ତ କରିବାର ଆଶଙ୍କା ଅଧିକ ।

ଶନିବାର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଂଟିଗ୍ରେଡ ଟପିଛି । ସେଥିମଧ୍ୟରୁ ୬ଟି ସ୍ଥାନରେ ପାରଦ ଟପିଛି ୪୩ ଡିଗ୍ରୀ । ପଶ୍ଚିମ- ଉତର ଭାରତ ପଟରୁ ଆସୁଥିବା ତତଲା ଶୁଷ୍କ ପବନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତିର ପ୍ରକୋପ ବଢାଉଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।