ରାଜ୍ୟରେ ୨୪ ଯାଏଁ ବଡ଼ ବର୍ଷା ନାହିଁ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

193

କନକ ବ୍ୟୁରୋ : ରାଜ୍ୟରେ ଏବେ ବଡ଼ ବର୍ଷା ହେବ ନାହିଁ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ନାହିଁ । ୧୭ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ନେଇ ଯେଉଁ ଆକଳନ ‌କରାଯାଇଥିଲା, ତାହା ହୋଇ ନଥିବାରୁ ଓଡ଼ିଶା ଉପରେ ବଡ଼ ବର୍ଷା ହେବାର ନାହିଁ । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଗତ ଦୁଇ ଦିନ ହେଲା ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆସନ୍ତା‌ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୦ ତାରିଖ ମଧ୍ୟାହ୍ନ ମଧ୍ୟରେ ଗଜପତି, ରାୟଗଡ଼ା, କେରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି । ୨୧ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୨ ତାରିଖ ବେଳକୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।