ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା : ଚାଷ ଉପରେ ପ୍ରଭାବ ପକାଇପାରେ ଦୁର୍ବଳ ମୌସୁମୀ

59

କନକ ବ୍ୟୁରୋ : ଦୁର୍ବଳ ମୌସୁମୀ ଓଡ଼ିଶାର ଭାତ ହାଣ୍ଡି ଉପରେ ନିର୍ଘାତ ମାଡ଼ ବସାଇଲାଣି । ଜୁନ୍‌ ମାସରେ ଏକ ଚତୁର୍ଥାଂଶ ବର୍ଷା କମିଥିଲା । ଜୁଲାଇର ପ୍ରଥମ ସପ୍ତାହର ସ୍ଥିତି ଆହୁରି ଅସମ୍ଭାଳ । ପ୍ରଥମ ସପ୍ତାହରେ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା ଠାରୁ ୪୬% କମ୍‌ ବର୍ଷା ହୋଇଥିବା ରେକର୍ଡ ହୋଇଛି । ସମୁଦାୟ ଜୁନ୍‌-ଜୁଲାଇକୁ ବିଚାରକୁ ନେଲେ, ରାଜ୍ୟରେ ୩୦.୩% ବର୍ଷା କମ୍‌ ହୋଇଛି । ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଥିବା ବରଗଡ, ସୋନପୁର, ନୂଆପ଼ଡା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସ୍ଥିତି ବେହାଲ କରିଦେଲାଣି । ଅନ୍ୟ ସମସ୍ତ ଜିଲ୍ଲାରେ ମଧ୍ୟ ଚାଷ ସ୍ଥିତି ଗମ୍ଭୀର ।

odisha weather
image courtesy-https://updateodisha.com
କୃଷି ବିଜ୍ଞାନୀମାନେ ଭବିଷ୍ୟବାଣୀ କଲେଣି, ଦୁର୍ବଳ ମୌସୁମୀ ଚାଷକୁ ଏବର୍ଷ ବିପର୍ୟ୍ୟୟ ମୁହଁକୁ ଠେଲିଦେଇପାରେ । ଓଡ଼ିଶାର କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ଯାଇ ସତର୍କ କରାଇଛି ଯେ ଢିପ ଜମିରେ ଧାନ ଚାଷ କରିବାରୁ ଚାଷୀ କ୍ଷାନ୍ତ ରୁହନ୍ତୁ । ଆଉ ମଧ୍ୟମ କିସମ ଜମିରେ କମ୍‌ ଦିନିଆ ଧାନ ଚାଷ ନ କରାଯିବା ଦରକାର । ଉଲ୍ଲେଖଯୋଗ୍ୟ, ଜୁଲାଇ ୫ରୁ ୯ ଯାଏ ବଡ଼ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ । ଏକଥା ବି ଡ଼ରାଇଥିଲେ ଯେ ୬ରୁ ପ୍ରବଳ ବର୍ଷା ହେବ ଓ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ହୋଇପାରେ । ହେଲେ ଏସବୁ ପୂର୍ବାନୁମାନ ଫେଲ୍‌ ମାରିଛି । ପାଣିପାଗ ବିଜ୍ଞାନୀ ବର୍ତମାନ ସ୍ଥିତିକୁ ଦେଖି ପୁଣି ସୂଚାଇଛନ୍ତି, ଓ଼ଡ଼ିଶାରେ ଭାରି ବର୍ଷା ସମ୍ଭାବନା କ୍ଷୀଣ । ଉପକୂଳ ଓଡ଼ିଶାରେ ୧୪ ତାରିଖ ପର୍ୟ୍ୟନ୍ତ ବଡ଼ ବର୍ଷା ସମ୍ଭାବନା ନାହିଁ । ଜୁଲାଇ ୮ରୁ ଯେଉଁ ବର୍ଷା ଆରମ୍ଭ ହେବ, ତାହା ବି ରାଜ୍ୟରେ ବେଶ୍‌ ପ୍ରଭାବୀ ହେବା ଭଳି ମନେ ହେଉନାହିଁ ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଉପରେ ରହୁଛି । ଏହା ପ୍ରଭାବରେ ୯ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ । ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୧୦ ଏବଂ ୧୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । କୃଷି ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ୮ ତାରିଖରୁ ଓଡ଼ିଶାର ଦକ୍ଷିଣ, ପଶ୍ଚିମ ଓ ସୀମାନ୍ତ ଉତ୍ତରାଞ୍ଚଳରେ ଅଳ୍ପ କିଛି ସ୍ଥାନରେ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ବେଳକୁ ୯ ତାରିଖ ହୋଇପାରେ । ଉପକୂଳରେ ୧୩ ତାରିଖ ବେଳକୁ ଭଲ ବର୍ଷା ସମ୍ଭାବନା ରହିଛି । ୧୪ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାପରେ ବର୍ଷା ଓଡ଼ିଶାକୁ ଫେରିବ ।

ଏପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟର ତଥ୍ୟ କହୁଛି, ଜୁନ୍‌ ମାସରେ ରାଜ୍ୟରେ ୨୫.୬% ବର୍ଷା କମ୍‌ ରେକର୍ଡ ହୋଇଥିଲା । କିନ୍ତୁ ଜୁଲାଇ ୬ ସୁଦ୍ଧା ଯେତିକି ବର୍ଷା ହୋଇଛି, ତାହା ଚିନ୍ତାଜନକ। ପ୍ରଥମ ସପ୍ତାହରେ ହାରାହାରି ୪୬% କମିଯାଇଛି । କୌଣସି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇନାହିଁ । ଝାରସୁଗୁଡା, ଗଜପତି, ରାୟଗଡା, କେନ୍ଦୁଝର, ଯାଜପୁର, ମୟୂରଭଂଜ, କଟକ, ଦେବଗଡ଼, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ବର୍ଷା ଋତୁରେ (ଜୁନ୍‌ରୁ ଆଜିଯାଏ) ୩୯% ଯାଏ କମ୍‌ ବର୍ଷା ରେକର୍ଡ ହୋଇଛି । ବରଗଡ଼, ସୁନ୍ଦରଗ଼ଡ, କନ୍ଧମାଳ, ଗଞ୍ଜାମ, ସୋନପୁର, ନୂଆପଡା, ବୌଦ୍ଧ, ନୟାଗଡ, କଳାହାଣ୍ଡି, ଅନୁଗୁଳ, ନବରଙ୍ଗପୁର ଓ ବଲାଙ୍ଗୀର ସ୍ଥିତି ସଙ୍ଗିନ୍‌ ଆଡ଼କୁ ଗତିକଲାଣି। ଏସବୁ ଜିଲ୍ଲାରେ ଚଳିତ ବର୍ଷା ଋତୁରେ ୫୯% ଯାଏ କମ୍‌ ବର୍ଷା ହୋଇଛି ।