ଘୂର୍ଣ୍ଣିବଳୟ ଦୁର୍ବଳ ହେବା ଯୋଗୁଁ ରାଜ୍ୟରୁ ବର୍ଷା ଗାୟବ : ପ୍ରବଳ ବର୍ଷା ହେବାର ସମ୍ଭାବନା କ୍ଷୀଣ

4

କନକ ବ୍ୟୁରୋ : ଘୂର୍ଣ୍ଣିବଳୟ ଦୁର୍ବଳ ହେବା ପରେ ଓଡ଼ିଶାରୁ ଗାଏବ୍‌ ହୋଇଛି ବର୍ଷା । ଜୁଲାଇ ୫ ଓ ୬ ତାରିଖଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ସମ୍ଭାବନା କ୍ଷୀଣ । କାଁ ଭାଁ ସ୍ଥାନରେ ବର୍ଷା ହେବ । ହେଲେ ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ପାଗ କୋହଲା ରହିବ । ପ୍ରବଳ ବର୍ଷା ହେବନି । ଦକ୍ଷିଣ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି । ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବି ଦେଖା ନାହିଁ । ଏବେ ବଙ୍ଗୋପସାଗରରେ ବି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନାହିଁ ।

ଅଭ୍ୟନ୍ତରୀଣ ଓଡ଼ିଶାରେ ଯଦିଓ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତାହା ବର୍ଷା କରାଇବାରେ ସକ୍ଷମ ନୁହେଁ । ଏହି ସମୟରେ ଛତିଶଗଡ଼ରେ କିନ୍ତୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ସମେତ ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ୯ ଓ ୧୦ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର ଓ ପରାଦୀପରେ ୪ ମିମି, ଚାନ୍ଦବାଲିରେ ୩ ମିମି ବର୍ଷା ହୋଇଛି । ବାକି ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିଛି । ପାଗ କୋହଲା ରହିଥିଲେ ମଧ୍ୟ ବର୍ଷା ହୋଇ ନାହିଁ । ତାପମାତ୍ରା ବି ସେଭଳି ହ୍ରାସ ପାଇନି । ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୦ ଡିଗ୍ର୍ରି ଉପରେ ରହିଥିଲା ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.