ମାଡି ଆସୁଛି ପ୍ରବଳ ବର୍ଷା : ୨୪ଘଂଟା ଭିତରେ ଡିପ୍ ଡିପ୍ରେସନର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

33

କନକ ବ୍ୟୁରୋ : ଉତ୍ତର – ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଅବପାତର ରୂପ ନେବ । ଗୋପାଳପୁରଠାରୁ ପ୍ରାୟ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଲଘୁଚାପ , ୯ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଫଳରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ୮ ଓ ୯ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି ୯ ଓ ୧୦ ତାରିଖରେ ଉପକୂଳ ଓଡିଶା ସମେତ ଭଦ୍ରକ, ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୦ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛିା ୧୧ ତାରିଖ ବେଳକୁ ଧିରେ ଧିରେ ଏହି ଅବପାତ ଦୁର୍ବଳ ହେବା ସହ ଆଭ୍ୟନ୍ତରୀଣ ଓଡିଶାରେ କାଁ ଭାଁ ବର୍ଷା କରିବା ସମ୍ଭାବନା ରହିଛି ।

ଲଘୁଚାପ ଯୋଗୁଁ ଅଶାନ୍ତ ହୋଇପଡିଛି ସମୁଦ୍ର । ଏପଟେ ବନ୍ଦରଗୁଡିକରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପୁରୀ ଉପକୂଳରେ ଲାଇଫ ଗାର୍ଡ ପର୍ଯ୍ୟଟକଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଏପଟେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।