କନକ ବ୍ୟୁରୋ: ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ପୁରୁଷ ହକି ବିଶ୍ୱକପ୍। ମନେ ରହିଯିବ ରାଜଧାନୀର ଏହି ନୂଆ କଳେବର। ଏଥିପାଇଁ ପୂରା ରାଜଧାନୀ ସଜେଇ ହୋଇଗଲାଣି। କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଜନପଥ, ପୁରୁଣା ଭୁବନେଶ୍ବର ପର୍ୟ୍ୟନ୍ତ ସବୁଠି ରାଜଧାନୀ ନୂଆ ନୂଆ ଲାଗୁଛି। ସଂଧ୍ୟାରେ ପୂରା ରାଜଧାନୀ ଆଲୋକମାଳାରେ ଝଟକିଲାଣି। ୧୬ ଦେଶର ଖେଳାଳି ହକି ମହାସମର ପାଇଁ ଭୁବନେଶ୍ବରରେ ପହଞ୍ଚି ସାରିଲେଣି। ବିଶ୍ବବିଜେତା ହେବା ପାଇଁ ଅଭ୍ୟାସ ଜୋରଦାର୍ କଲେଣି। ବିପକ୍ଷ ଟିମ୍କୁ ମାତ୍ ଦେବାକୁ ହୋଟେଲ୍ ରୁମ୍ରେ ନୀଳ ନକ୍ସା ପ୍ରସ୍ତୁତ ହେଉଛି।
ରାଜ୍ୟ ସରକାର ବି ରାଜଧାନୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଏକ ବିଶ୍ବଶ୍ରେଣୀୟ ସହରର ସୁବିଧା ସୁଯୋଗ ଦେବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି। ଉଦ୍ଘାଟନୀ ଉତ୍ସବରୁ ଆରମ୍ଭ କରି ହକି ମହାସମର ଶେଷ ହେବା ପର୍ୟ୍ୟନ୍ତ କେଉଁଠି କ’ଣ ହେବ ତାହାର ନୀଳ ନକ୍ସା ପ୍ରସ୍ତୁତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ବିଶ୍ବସ୍ତରୀୟ କାର୍ୟ୍ୟକ୍ରମ ପରିବେଷଣ କରି ସାରା ବିଶ୍ବକୁ ଚକିତ କରିବାକୁ କଳାକାରମାନେ ବି ପ୍ରସ୍ତୁତ ହୋଇଗଲେଣି। ସମସ୍ତଙ୍କର ଅପେକ୍ଷା ଇତିହାସର ଫର୍ଦ୍ଦରେ ନିଜର ଛାପ ଛାଡ଼ିବାକୁ।
ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ମଞ୍ଚ ପ୍ରବେଶ କରିବେ ବିଶ୍ବକପ୍ ବିଜେତା ଖେଳାଳି
ହକି ଉଦ୍ଘାଟନୀ ନୃତ୍ୟ ମଞ୍ଚରେ ଶାହରୁଖ୍ ଓ ମାଧୁରୀଙ୍କ ଭଳି ସୁପରଷ୍ଟାର୍ଙ୍କୁ ଦେଖିବାକୁ ମିଳିବ ବୋଲି ତ ସମସ୍ତେ ଜାଣନ୍ତି। ଏ ଆର୍ ରହେମାନ୍ଙ୍କ ସଂଗୀତର ଯାଦୁରେ ବିଭୋର୍ ହେବା ବି ସଭିଏଁ ଜାଣନ୍ତି। ମାତ୍ର ଏକଥା ହୁଏତ ଅନେକଙ୍କୁ ମାଲୁମ୍ ନାହିଁ ଯେ ଆଜକୁ ୪୩ବର୍ଷ ତଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ କ୍ବାଲାଲମ୍ପୁରରେ ବିଶ୍ବ ବିଜେତା ହୋଇଥିବା ଭାରତୀୟ ଦଳକୁ ବି ଏହି ମଞ୍ଚରେ ଦେଖିବାର ସୁଯୋଗ ମିଳିବ। ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଏହି ବିଶ୍ବବିଜେତା ଦଳକୁ ପାଛୋଟି ନେବେ ଓଲିଉଡ୍ ତାରକା ସବ୍ୟସାଚୀ ଓ ଚୁଲ୍ବୁଲି ନାୟିକା ଅର୍ଚିତା। ଅଜିତ ପାଲ୍ ସିଂହଙ୍କ ସମେତ ଅନ୍ୟ ଖେଳାଳି ଏହି ନୃତ୍ୟ କାର୍ଯ୍ୟକ୍ରମର ଅଂଶୀଦାର ହୋଇ ମଞ୍ଚ ପ୍ରବେଶ କରିବେ। ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ୧୯୭୫ ମସିହାର ସେଇ ବିଶେଷ ମୁହୂର୍ତକୁ ମନେ ପକାଇବେ।
ସେତେବେଳେ ବିଶ୍ବକପ୍ ବିଜେତା ଦଳର ଅଂଶୀଦାର ଥିବା ପ୍ରାୟ ୧୧ଜଣ ଖେଳାଳି ମଞ୍ଚରେ ଦେଖାଦେବେ ବୋଲି ସୂଚନା ମିଳିଛି। ହକି ବିଶ୍ବକପ୍ ଉଦ୍ଘାଟନୀ ପର୍ବକୁ ସ୍ମରଣୀୟ କରିବା ପାଇଁ ଏହିଭଳି ଏକ ନିଷ୍ପତ୍ତି ନିଆଯାଇଛି। ଏହିଭଳି ବିଶ୍ବବିଜେତା ଭାରତୀୟ ହକି ଦଳର କିମ୍ବଦନ୍ତୀ ଖେଳାଳିଙ୍କ ସହ ମଞ୍ଚରେ ଉପସ୍ଥିତ ରହିବା ସବୁଠୁ ବଡ଼ କଥା ବୋଲି ସବ୍ୟସାଚୀ କହିଛନ୍ତି।
କଷ୍ଟ୍ୟୁମ୍ ଦେବ ବାର୍ତା
ଦି ଆର୍ଥ୍ ସଙ୍ଗ୍ କେବଳ ଏକତାର ବାର୍ତା ଦେବ ନାହିଁ, ପ୍ରତ୍ୟେକ କଳାକାରଙ୍କ ବେଶ ପୋଷାକ ଏକ ନିର୍ଦ୍ଦିଷ୍ଟ ବାର୍ତା ଦେବ। ମାଧୁରୀ ହୁଅନ୍ତୁ ଅବା ଶାହରୁଖ, ସମସ୍ତଙ୍କ ପାଇଁ ଏଭଳି କଷ୍ଟ୍ୟୁମ୍ର ବନ୍ଦୋବସ୍ତ ହୋଇଛି। କଳାକାରଙ୍କ ଜରିଆରେ ଏହା ଉପସ୍ଥିତ ଦର୍ଶକ ଏବଂ ଟିଭି ପରଦା ଆଗରେ ଦେଖୁଥିବା ବିଶ୍ବବାସୀଙ୍କୁ ଏକ ନିର୍ଦିଷ୍ଟ ବାର୍ତା ଦେବ। ବିଶ୍ବରେ କଳା ଗୋରା ମଧ୍ୟରେ କୌଣସି ଫରକ ନାହିଁ ଏବଂ ସମସ୍ତେ ଏକ ପୋଷାକର ରଙ୍ଗରେ ଏହା ସୂଚାଇ ଦିଆଯିବ। ସମସ୍ତ ୮ଶହ ନୃତ୍ୟଶିଳ୍ପୀଙ୍କ ଦେହରେ ଶୋଭା ପାଇବାକୁ ଥିବା କଷ୍ଟ୍ୟୁମ୍ ନକହି ନକହି ଅନେକ କିଛି ବ୍ୟକ୍ତ କରିଦେବ।
୮ ମିନିଟ୍ ପାଇଁ ୨ ମାସ କସରତ
୧୬ ମିନିଟରେ ଦୁନିଆ ଦେଖିବ ୧୪ ନୃତ୍ୟର ସଙ୍ଗମ। ଶାସ୍ତ୍ରୀୟ ଓ ପାଶ୍ଚାତ୍ୟର ସଙ୍ଗମ ସହ ସୃଷ୍ଟି ହେବ ନୂଆ ଇତିହାସ। ପୂର୍ବରୁ ପଶ୍ଚିମ ଯାଏଁ ସଭିଁଙ୍କୁ ଏକତାର ସୂତାରେ ଯୋଡ଼ିବ ‘ଇଷ୍ଟ୍ ଟୁ ୱେଷ୍ଟ୍’। ହକି ବିଶ୍ବକପ୍ ଉଦଘାଟନୀ ପର୍ବରେ ଭୂ-ଦେବୀ ନୃତ୍ୟରେ ଏହିପରି ଚମକ ଭେଟିଦେବେ ଶିଆମକ୍-ଅରୁଣା ମହାନ୍ତି ଯୋଡ଼ି। ଏହାକୁ ନେଇ ହୁଏତ ଆଗରୁ ଚର୍ଚା ହୋଇଛି, ମାତ୍ର ଏହି ୮ ମିନିଟର ଗୀତ ପାଇଁ ଯେ କେତେ କସରତ କରିବାକୁ ପଡ଼ିଛି, ତାହା ବଖାଣିଛନ୍ତି ଏହି ନୃତ୍ୟ ସହ ସଂଶ୍ଳିଷ୍ଟ ନୃତ୍ୟଗୁରୁ ଓ ଶିଳ୍ପୀ। ଏଥିପାଇଁ ଶିଳ୍ପୀମାନେ ୨୧ ତାରିଖରୁ ନୃତ୍ୟ ଶିଖିବା ଆରମ୍ଭ କରିଥିବା ବେଳେ ଉଦଘାଟନୀ ଉତ୍ସବ ଯେତେ ନିକଟ ହେଉଛି ଅଭ୍ୟାସ ସମୟ ସେତେ ବଢ଼ି ଚାଲିଛି।
ବଡ଼ କଥା ହେଉଛି, ପୂର୍ବ ତଥା ଭାରତକୁ ସମଗ୍ର ବିଶ୍ବ ଆଗରେ ଉପସ୍ଥାପିତ କରିବା ପାଇଁ ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, ସତ୍ରିୟା, କଥକ, କୁଚିପୁଡ଼ି ଓ ମୋହିନୀ ଆଟ୍ଟମ ନୃତ୍ୟ ଏକକାଳୀନ ଗୋଟିଏ ସମୟରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ନୃତ୍ୟ ଯେପରି ଟିକେ ବି ଖୁଣ ନରୁହେ, ସେଥିପାଇଁ ଯତ୍ନବାନ ହୋଇଛନ୍ତି ନୃତ୍ୟଗୁରୁ ଓ ଶିଳ୍ପୀ । ଏଥିପାଇଁ ପ୍ରତିଟି ଶାସ୍ତ୍ରୀୟ ନୃତ୍ୟ ଜଣେ ଲେଖାଏଁ ଗୁରୁ ରହିଛନ୍ତି। ନୃତ୍ୟ ୮ ମିନିଟ୍ର ହୋଇଥିଲେ ହେଁ ଏଥିରେ କୌଣସି ପ୍ରକାର ସାଲିସ୍ କରିନାହାନ୍ତି ପୂରା ନୃତ୍ୟର ପରିକଳ୍ପନା କରିଥିବା ନୁପୂର ମହାଜନ।
Comments are closed.