ଓଡିଶାରେ ପୁଣି ଆସିବ ବିଜେଡି ! ଇଣ୍ଡିଆ ଟୁଡେ ସର୍ଭେ କହିଲା, ମୁଖ୍ୟମନ୍ତ୍ରୀ ଭାବେ ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ, ଧର୍ମେନ୍ଦ୍ରଙ୍କ ଠାରୁ ଢେର ଆଗରେ

83

କନକ ବ୍ୟୁରୋ : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଖୁସିଖବର । ୨୦୧୯ ପୂର୍ବରୁ ଏମିତି ଏକ ସର୍ଭେ ରିପୋର୍ଟ ଆସିଛି ଯାହା ବିଜେଡି ସୁପ୍ରିମୋଙ୍କ ମନରେ ଖୁସି ଭରି ଦେଇଛି । ଲଗାତାର ୪ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପଞ୍ଚମ ଥର ପାଇଁ ଶାସନଗଦିରେ ବସିପାରନ୍ତି । ଇଣ୍ଡିଆ ଟୁଡେ- ମାଇଁ ଇଣ୍ଡିଆ ପିଏସଇ ସର୍ଭେର ଆକଳନ କହୁଛି, ଓଡିଶାର ୫୯ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାନ୍ତି ବୋଲି ଭୋଟର ମାନଙ୍କ ଠାରୁ ମତାମତ ନିଆଯାଇଥିଲା । ଯେଉଁଥିରେ ନବୀନ ପଟ୍ଟନାୟକ ପ୍ରଥମ ପସନ୍ଦ ଭାବେ ସାମ୍ନାକୁ ଆସିଛନ୍ତି ।

ଓଡିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ୮୨୩୨ ଜଣଙ୍କର ମତାମତ ନିଆଯାଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଟେଲିଫୋନ ଯୋଗେ ଭୋଟରଙ୍କ ମତାମତକୁ ସଂଗ୍ରହ କରି ଇଣ୍ଡିଆ ଟୁଡେ- ମାଇଁ ଇଣ୍ଡିଆ ପିଏସଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି ।

ଦୀର୍ଘ ୧୮ ବର୍ଷ ଧରି ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ କ୍ଷମତାରେ ରହି ଆସିଛି । କ୍ରମାଗତ ୪ ଥର କ୍ଷମତାରେ ରହିଥିଲେ ସୁଦ୍ଧା ଲୋକଙ୍କର ଆସ୍ଥା ହରାଇନାହାନ୍ତି ବିଜେଡି ସୁପ୍ରିମୋ । ଏମିତିକି ସରକାର ବିରୋଧୀ ହାୱାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି ବିଜେଡି । ଏହି ସର୍ଭେ ଅନୁଯାୟୀ, ଓଡିଶାର ୪୪ ପ୍ରତିଶତ ଭୋଟର ସରକାରଙ୍କ ସଫଳତାକୁ ନେଇ ଖୁସି ଅଛନ୍ତି । ଆଉ ମାତ୍ର ୧୯ ପ୍ରତିଶତ ଲୋକ ବିଜେଡି ସରକାରର ପ୍ରଦର୍ଶନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ଭାବରେ ନବୀନଙ୍କୁ ଟକ୍କର ଦେବାକୁ ସକ୍ଷମ ହୋଇନାହାନ୍ତି ବିରୋଧୀ । ନବୀନଙ୍କ ଏହି ରେସରେ ବେଶ ଆଗରେ ରହିଛନ୍ତି । ନବୀନଙ୍କୁ ମାତ୍ ଦେବା ତ ଦୂରର କଥା ବରଂ ପାଖ ମାଡି ପାରିନାହାନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନେତା । ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଓଡିଶା ଭୋଟରଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଦ୍ୱିତୀୟ ପସନ୍ଦ ଭାବରେ ସାମ୍ନାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ୨୧ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଏସବୁ ଭିତରେ କିନ୍ତୁ ଦୀର୍ଘ ୧୮ ବର୍ଷ ପରେ ନବୀନ ନିଜର ଲୋକପ୍ରିୟତା ହରାଇନାହାନ୍ତି । ରାଜ୍ୟବାସୀଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ନବୀନ । ତେବେ କୃଷି, ସ୍ୱାସ୍ଥ୍ୟ ଓ ପିଇବା ପାଣି ରାଜ୍ୟରେ ବଡ ସମସ୍ୟା ଭାବେ ଉଭା ହୋଇଛି ।

ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ଓଡିଶାର ୫୪ ପ୍ରତିଶତ ଭୋଟର ମୋଦିଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ରାହୁଲଙ୍କୁ ୨୧ ପ୍ରତିଶତ ଲୋକ ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ସେହିପରି ବିହାରରେ ନୀତୀଶ କୁମାର ସପକ୍ଷରେ ରହିଛି ଜନମତ । ତେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।