ଆଦିବାସୀ ନେତାଙ୍କୁ ଥଇଥାନ ଯୋଜନା

59

କନକ ବ୍ୟୁରୋ: ପ୍ରାୟ ଦେଢମାସ ତଳେ ରାଜ୍ୟ କ୍ୟାବିନେଟ୍ ୯ଟି ଜନଜାତି ବହୁଳ ଜିଲ୍ଲା ପାଇଁ ଅନୁମୋଦନ କରିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରୂପରେଖ ଶେଷରେ ଚୂଡାନ୍ତ ହୋଇଛି । ଗତକାଲି ଯୋଜନା ଓ ସଂଯୋଜନ ବିଭାଗ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ନିକଟରେ ବିଜୁ ଜନତା ଦଳରେ ମିଶିଥିବା ପରଜା ସମାଜର ସଭାପତି ତଥା କୋରାପୁଟ ଆଦିବାସୀ ସଂଘ ଉପ ସଭାପତି କମୁଳୁ ଜାନିଙ୍କୁ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ରାଷ୍ଟ୍ରମନ୍ତ୍ରୀ ସୁବିଧା ଉପଭୋଗ କରିବେ। କୋରାପୁଟ ଜିଲ୍ଲାରେ ପରଜା ସମାଜର ପ୍ରାୟ ୩୭ ଭୋଟ ଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏ ନିଯୁକ୍ତି ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଖୁବଶୀଘ୍ର ଅନ୍ୟ ଜିଲ୍ଲା ଅଧ୍ୟକ୍ଷ ପଦବି ସଂପର୍କରେ ମଧ୍ୟ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ସଜବାଜ ପ୍ରକ୍ରିୟାରେ ଆଦିବାସୀଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁଲାଇ ଶେଷ ସପ୍ତାହରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ୯ଟି ଜନଜାତି ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ସରକାର ଘୋଷଣା କରିଥିଲେ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ୧୧୭ଟି ବ୍ଲକରେ ସ୍ୱତନ୍ତ୍ର ଭାବେ ଜନଜାତି ବର୍ଗର ବିକାଶ ଲାଗି ୧.୫ କୋଟି ଲେଖାଏଁ ମୋଟ ୧୭୫ କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସରକାର କହିଛନ୍ତି, ଜିଲ୍ଲା ମୁଖ୍ୟାଳୟରେ ହିଁ ପରିଷଦର ମୁଖ୍ୟାଳୟର ରହିବ । ପରିଷଦରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ରହିବେ । ସଂପୃକ୍ତ ଜିଲ୍ଲାର ବିଭିନ୍ନ ଆଦିବାସୀ ବର୍ଗର ପ୍ରତିନିଧିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ । ଶିକ୍ଷା, କଳା, ସଂସ୍କୃତି, କ୍ରୀଡା ଓ ଉଦ୍ୟୋଗ କ୍ଷେତ୍ରରେ ପାରଦର୍ଶିତା ରଖିଥିବା ପାଞ୍ଚ ଜଣଙ୍କୁ ସଦସ୍ୟ ରଖାଯିବ । ଅନୁସୂଚିତ ଜନଜାତିର ବିକାଶ କ୍ଷେତ୍ରରେ ଅଭିଜ୍ଞ (ସରକାରୀ କର୍ମଚାରୀ କିମ୍ବା ଯେ ସାଧାରଣ ବ୍ୟକ୍ତି) ତିନିଜଣଙ୍କୁ ସଦସ୍ୟ ଭାବେ ସରକାର ବାଛିବେ । ଜିଲ୍ଲାପାଳ ଏହି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆବାହକ ଭାବେ କାର୍ଯ୍ୟ କରିବେ ।

ସରକାର ସର୍ତ୍ତ ରଖିଛନ୍ତି ଯେ, ପରିଷଦ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ନିଶ୍ଚିତ ମହିଳା ହୋଇଥିବେ । ପରିଷଦର ଅଧ୍ୟକ୍ଷ ରାଷ୍ଟ୍ରମନ୍ତ୍ରୀ ସୁବିଧା ଉପଭୋଗ କରିବେ ଓ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସୁବିଧା ପାଇବେ । ପରିଷଦର ସଦସ୍ୟମାନେ ଜିଲ୍ଲା ପରିଷଦ ସଭ୍ୟଙ୍କ ଭଳି ସମାନ ଷ୍ଟାଟସର ସୁବିଧା ଉପଭୋଗ କରିବେ । ଆବାହକଙ୍କ ବ୍ୟତୀତ ପରିଷଦର ଅନ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ । ଆଇଟିଡିଏ ସମସ୍ତ କର୍ମଚାରୀ ଓ ବୈଷୟିକ ସୁବିଧା ଯୋଗାଇ ଦେବ । ଆବଶ୍ୟକ ପଡିଲେ ଜଣେ ବ୍ୟକ୍ତିଙ୍କୁ ଠିକାରେ ନିଯୁକ୍ତି ଦିଆଯାଇପାରେ। ପରିଷଦର ସଦସ୍ୟଙ୍କ ଫି, ଗାଡି, ପାରିଶ୍ରମିକ ଆଦି ସଂପର୍କରେ ସରକାର ପରେ ନିର୍ଦ୍ଧାରଣ କରିବେ ।

ପରିଷଦର କାର୍ଯ୍ୟନିର୍ବାହୀ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ । ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ଡିପିଏମ୍ୟୁର ଉପନିର୍ଦେଶକ, ଆଇଟିଡିଏ ପିଏ ସଦସ୍ୟ ରହିବେ । ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ଏହି ପରିଷଦ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ କାମ କରିବ । ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ତଦାରଖ ପାଇଁ ରାଜ୍ୟସ୍ତରୀୟ ମନିଟରିଂ କମିଟି ରହିବ । ଉନ୍ନୟନ କମିସନର ଏହାର ଅଧ୍ୟକ୍ଷ ରହିବେ । ଅର୍ଥ, ରାଜସ୍ୱ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ସଂସ୍କୃତି, ପୂର୍ତ୍ତ, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଏହାର ସଦସ୍ୟ ରହିବେ । ଆଦିବାସୀ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥାର ନିର୍ଦେଶକ ଏହାର ଆବାହକ ରହିବେ ।

ପ୍ରକାଶଥାଉକି, ଏହି ପରିଷଦ ରାଜ୍ୟର ଜନଜାତି ସଂପ୍ରଦାୟର ସଶକ୍ତିକରଣ ଦିଗରେ କାମ କରିବ । ବିଶେଷକରି ଜନଜାତିମାନଙ୍କ ଭାବନା ସହିତ ସମନ୍ଵୟ ରଖି ସେମାନଙ୍କର ଶୈକ୍ଷିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନେବ।