ଦିଲ୍ଲୀରେ ଅନୁଷ୍ଠିତ ହେଲା ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ସୋ’ !

42

ନୂଆଦିଲ୍ଲୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ରାଜ୍ୟରେ ବେଳାଭୂମି, ପରିବେଶ, ବୌଦ୍ଧ, ଐତିହ୍ୟ, ଧାର୍ମିକ, ସ୍ୱାସ୍ଥ୍ୟ, ଜନଜାତି, ବାଲୁକାକଳା ଆଦି ପର୍ଯ୍ୟଟନ କ୍ଷେତ୍ରରେ ଆକର୍ଷଣୀୟ ବଜାର ସୃଷ୍ଟି କରାଯାଇପାରିବ । ଆସନ୍ତା ଅକ୍ଟୋବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ରେ ବହୁ ସଂଖ୍ୟାରେ ଏପରି ଉଦ୍ୟୋଗଗୁଡ଼ିକ ଯୋଗ ଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ ।

ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ(ଫିକି) ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରୋଡ୍‌ ସୋ’ରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ଵଲେ କହିଛନ୍ତି ଯେ ଓଡ଼ିଶା ଟ୍ରାଭେଲ୍‌ ବଜାରରେ ବିଦେଶୀ, ଘରୋଇ, ଇନବାଉଣ୍ଡ ଟୁର୍‌ ଅପରେଟର୍‌ ତଥା ବିମାନସେବା ସଂସ୍ଥା ଯୋଗ ଦେବେ । ରୋଡ୍‌ ସୋ’ରେ ଫିକିର ମହାସଚିବ ଏ ଦିଦାର ସିଂହ, ପରାମର୍ଶଦାତା ରାହୁଲ ଚକ୍ରବର୍ତ୍ତୀ, ଭାରତୀୟ ଟୁର୍‌ ଅପରେଟର୍ସ ମହାସଂଘର ଅଧ୍ୟକ୍ଷ ରାଜୀବ ମେହେରା, ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ଓ ଓଡ଼ିଶା ପର୍ଯ୍ୟଟନର ଓଏସଡି ରୀନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।