ଭୋକିଲା ରହିବେନି ଓଡିଶାବାସୀ । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଟଙ୍କିକିଆ ଚାଉଳ ପାଇବେ ୨୫ ଲକ୍ଷ ଗରିବ ହିତାଧିକାରୀ

143

କନକ ବ୍ୟୁରୋ: ଓଡିଶା ଖାଦ୍ୟ ସୁରକ୍ଷା ଯୋଜନାରେ ଚିହ୍ନିତ ହିତାଧିକାରୀଙ୍କୁ ରେସନକାର୍ଡ ବିତରଣ ଏବଂ କିଲୋପ୍ରତି ୧ଟଙ୍କା ମୂଲ୍ୟରେ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆଜି ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ୨୫ ଲକ୍ଷ ଗରିବ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଟଙ୍କିକିଆ ଚାଉଳ ପାଇବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀ ସାମିଲ କରାଯିବ । ଅବଶିଷ୍ଟ ୩ ଲକ୍ଷ ୬୮ ହଜାର ହିତାଧିକାରୀଙ୍କୁ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ତାଲିକାରେ ସାମିଲ କରାଯିବ । ଏହି ଯୋଜନାରେ ୬ଲକ୍ଷ ୭୦ ହଜାର ପରିବାରରେ ଥିବା ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସର୍ବଶେଷ ତାଲିକା ଅନୁଯାୟୀ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଅବଶିଷ୍ଟ ୬ ଲକ୍ଷ ୬୮ ହଜାର ହିତାଧିକାରୀ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ତାଲିକାରେ ସ୍ଥାନ ପାଇବେ। ଏହି ଯୋଜନାରେ ୬ ଲକ୍ଷ ୭୦ ହଜାର ପରିବାରରେ ଥିବା ମୋଟ୍ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ବିଭାଗୀୟ ମନ୍ତ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର ନିକଟରେ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୭୩ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ହିତାଧିକାରୀ ଆସନ୍ତା ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଏଥିରେ ସାମିଲ ହୋଇପାରିବେ। ରାଜ୍ୟର ୪ଟି ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଛି। ନୂଆପଡ଼ା ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ବଲାଙ୍ଗୀରରେ ୯୫.୮, ବୌଦ୍ଧରେ ୯୨.୭ ପ୍ରତିଶତ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲାରେ ୯୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲା ସର୍ବାଧିକ ୧ ଲକ୍ଷ ୮୬ ହଜାର ହିତାଧିକାରୀଙ୍କ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୯୬ ହଜାର ହିତାଧିକାରୀଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଛି।

ଏହି ସମସ୍ତ ହିତାଧିକାରୀ ଆଜିଠୁ ଟଙ୍କିକିଆ ଚାଉଳ ପାଇବେ। ସ˚ଖ୍ୟାଧିକ ହିତାଧିକାରୀଙ୍କ ନାମ ଏନ୍ଏଫ୍ଏସ୍ଏରେ ରହିଥିବା ବେଳେ ସେମାନେ ରାଜ୍ୟ ଯୋଜନାରେ ଆବେଦନ କରିଥିବାରୁ ତାହାକୁ ଖାରଜ କରାଯାଉଛି। ଯେଉଁ ଗରିବ ଲୋକମାନେ ଏନ୍ଏଫ୍ଏସ୍ଏରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଏହି ରାଜ୍ୟ ଯୋଜନାରେ ସୁବିଧା ମିଳିବ। ସୂଚନାଯୋଗ୍ୟ, ୨୦୦୮ ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାର କିଲୋ ପ୍ରତି ୨ ଟଙ୍କା ଦରରେ ଚାଉଳ ଯୋଗାଣ ଆରମ୍ଭ କରିଥିଲେ। ୨୦୧୩ ମସିହାରୁ ଏକ ଟଙ୍କାରେ ଚାଉଳ ଯୋଗା ଯାଉଥିବା ବେଳେ ବର୍ତମାନ ଏଥିରେ ଆଉ ୨୫ ଲକ୍ଷ ହିତାଧିକାରୀ ଯୋଡ଼ି ହେବାକୁ ଯାଉଛନ୍ତି।