ଓଡ଼ିଶା ଜଙ୍ଗଲକୁ ଆସିବ ମଧ୍ୟପ୍ରଦେଶ ବାଘ ! ସାତକୋଶିଆରେ ରକ୍ଷା କରିବ ଜୈବିକ ସନ୍ତୁଳନ

52

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବ ମହାବଳ ବାଘ । ରାଜ୍ୟରେ ବାଘ ସଂଖ୍ୟା କମ୍ ଥିବାରୁ ଜୈବ ସନ୍ତୁଳନ ବିଗିଡି ଯାଉଛି । ସାତକୋଶିଆ ଅଭୟାରଣ୍ୟ ପାଇଁ ଓଡିଶା ସରକାରଙ୍କ ପ୍ରୋଜେକ୍ଟ ଟାଇଗର୍ । ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରୟାସ । ସାତକୋଶିଆ ଅଭୟାରଣ୍ୟରେ ଜୈବିକ ସନ୍ତୁଳନ ରକ୍ଷା କରିବା ଓ ବାଘ ସଂଖ୍ୟା ବଢାଇବାକୁ ଯେଉଁ ପରିକଳ୍ପନା କରାଯାଇଥିଲା, ତାକୁ ସବୁଜ ସଂକେତ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ମଧ୍ୟ ଅନୁମତି ଦେଇସାରିଛନ୍ତି ।

ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଅ କରିଥିବା ସର୍ଭେ ଅନୁସାରେ ସାତକୋଶିଆ ଅଭୟାରଣ୍ୟରେ ୧୫ଟି ମହାବଳ ରହିବା ପାଇଁ ଉପଯୁକ୍ତ ଆବାସସ୍ଥଳୀ ରହିଛି । କିନ୍ତୁ ଜଙ୍ଗଲ ବିଭାଗର ତଥ୍ୟ ଅନୁସାରେ ଏଠାରେ ମାତ୍ର ଦୁଇଟି ମହାବଳ ବାଘ ଅଛନ୍ତି । ତେଣୁ ମଧ୍ୟପ୍ରଦେଶ ବାଘ ଆସିଲେ, ରାଜ୍ୟ ଫାଇଦାରେ ରହିବ । ଆସନ୍ତା ମାସରୁ ପର୍ଯ୍ୟାୟକ୍ରମେ ସାତକୋଶିଆରେ ୬ଟି ବାଘ ଛଡାଯିବ ।

୨୦୧୫ରେ ଏନଟିସିଏ କରିଥିବା ବାଘ ଗଣନା ଅନୁଯାୟୀ ରାଜ୍ୟରେ ୨୮ଟି ମହାବଳ ବାଘ ଥିଲା । ଯାହାକୁ ଚ୍ୟାଲେଂଜ କରିଥିଲେ ରାଜ୍ୟ ସରକାର । ୨୦୧୬ରେ ପୁନଃଗଣନା କରି ୪୦ଟି ବାଘ ଥିବା କହିଥିଲେ ରାଜ୍ୟ ସରକାର । ତେବେ ମହାବଳ ବାଘ ବଂଶ ବୃଦ୍ଧି ସହ ରାଜ୍ୟ ସରକାରଙ୍କ ପ୍ରୋଜେକ୍ଟଟାଇଗରକୁ କେତେ ସଫଳତା ମିଳୁଛି, ତା ଉପରେ ନଜର ।