ଅକ୍ଟୋବରରେ ନିଲାମ ହେବ ଆଉ ୬ଟି ଖଣି

63

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ମାସରେ ରାଜ୍ୟର ଆଉ ୬ଟି ଖଣି ନିଲାମ କରାଯିବ । ଏ ନେଇ ଆବଶ୍ୟକ ପ୍ରକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ସଚିବ ରାଜକୁମାର ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟର ୫ଟି ଖଣି ନିଲାମ ହୋଇସାରିଛି । ଲୁହାଖଣି ନିଲାମ ହେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।

ସଚିବାଳୟରେ ନିଲାମ ଖଣିଗୁଡ଼ିକର ପରବର୍ତ୍ତି କାର୍ଯ୍ୟ ପାଇଁ ଗଠିତ ରାଜ୍ୟସ୍ତରୀୟ ସହାୟକ କମିଟିର ପ୍ରଥମ ବୈଠକରେ ମୁଖ୍ୟ ସଚିବ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୂର୍ବରୁ ନିଲାମ ହୋଇଥିବା ୫ଟି ଖଣି ବ୍ଲକଗୁଡ଼ିକର ଚାଲିଥିବା ଆବଶ୍ୟକ ଅନୁମୋଦନ ଏବଂ ଅନୁମତି ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଘୋରବରୁହାଣୀ-ସାଗାସାହି ଲୁହାପଥର ଖଣି, ମାଲକାନଗିରି ଜିଲ୍ଲାର କୋଟାମେଟା ଚୂନପଥର ଖଣି, କେନ୍ଦୁଝର ଜିଲ୍ଲାର ଲାସେରଦା-ପାଚେରି ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼ ଜିଲ୍ଲାର ନେତ୍ରବନ୍ଧ ଲୁହାପଥର ଖଣି ପ୍ରକଳ୍ପ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ବିଶେଷ କରି ଜଙ୍ଗଲ ଅନୁମତି, ପରିବେଶ ଅନୁମୋଦନ, ଖଣି ଖନନ ଯୋଜନାକୁ ମଞ୍ଜୁରି, ବନ୍ୟଜନ୍ତୁ ପରିଚାଳନା ଯୋଜନା, ଜମି ଅଧିଗ୍ରହଣ, ଗ୍ରାମସଭା ଆୟୋଜନ, ଜମି ମାଲିକାନା ନାମଜାରି, ରେଲେଓ୍ଵ ସାଇଡିଂ ଆଦି ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରି ତଦନୁଯାୟୀ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ନିମନ୍ତେ ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଖଣି ଓ ଇସ୍ପାତ ବିଭାଗକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଖଣି ନିର୍ଦେଶକ ଦୀପକ ମହାନ୍ତି, ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ ସନ୍ଦିପ ତ୍ରିପାଠୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।