ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଗ୍ ବଜେଟ ! କୃଷକଙ୍କ ପାଇଁ ୧୬,୭୬୫ କୋଟି ଟଙ୍କାର ବ୍ୟୟବରାଦ, ଜାଣନ୍ତୁ କଣ ଲାଭ ପାଇବେ ଚାଷୀ

75

କନକ ବ୍ୟୁରୋ : ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରାଯାଇଛି । ନିର୍ବାଚନ ପୂର୍ବରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି ସରକାର । ଆଜି ଅପରାହ୍ନରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୃଷି ପାଇଁ ସରକାର ୧୬, ୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ କୃଷକ ବୀମା, ଫସଲ ବୀମା, କୃଷି ଯାନ୍ତ୍ରିକକରଣ ଉପରେ ପ୍ରାଥମିକତା ଦିଆଯାଇଛି । କୃଷକମାନଙ୍କୁ ଧାନ ସଂଗ୍ରହ ବାବଦରେ ଉଚିତ ମୂଲ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ୨୫ ଲକ୍ଷ ଚାଷୀଙ୍କୁ ବୀମା ଭୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ୮ଟି ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ବନ୍ୟା ନିୟନ୍ତ୍ରଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷି ପାଇଁ ୧୦୪ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ଟଙ୍କା, ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିଭଳି ବିଜୁ କୃଷକ ଯୋଜନା ପାଇଁ ୯୦ କୋଟି, ରାଷ୍ଟ୍ରୀୟ ବୃଷ୍ଟି ଯୋଜନା ବାବଦକୁ ୭୫୦ କୋଟି ଟଙ୍କା ବ୍ୟବବରାଦ ରଖାଯାଇଛି । ସ୍ୱଳ୍ପ ସୁଧରେ ଚାଷୀଙ୍କୁ ଋଣ ଦେବା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ୫୦ ହଜାର ମଧ୍ୟରେ ରଣ ପାଇଁ ବାର୍ଷିକ ୧% ପ୍ରତିଶତ ସୁଧ ଓ ୫୦ ପ୍ରତିଶତରୁ ଅଧିକ ଋଣ ପାଇଁ ବାର୍ଷିକ ୨% ରିହାତି ସୁଧରେ ୪୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।