ଜାତୀୟ ପଶୁପାଳନ ଷ୍ଟାର୍ଟ-ଅପ୍ ଚ୍ୟାଲେଞ୍ଜରେ ଓଡ଼ିଶାର ଷ୍ଟାର୍ଟ-ଅପ୍ ‘ଗ୍ରୋଜିପ୍’କୁ ବଡ଼ ସଫଳତା । ହାସଲ କଲା ଦ୍ୱିତୀୟ ସ୍ଥାନ ।

347

କନକ ବ୍ୟୁରୋ : ଓଡ଼ିଶା ଭିତ୍ତିକ ଷ୍ଟାର୍ଟ-ଅପ୍ ‘ଗ୍ରୋଜିପ୍’ ଭାରତ ସରକାରଙ୍କ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିବା ଆନିମଲ ହଜବାଣ୍ଡ୍ରି ଷ୍ଟାର୍ଟ-ଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜ୍ ଇଣ୍ଡିଆରେ ୨ୟ ସ୍ଥାନ ହାସଲ କରିଛି । ପଶୁ ପାଳନ କ୍ଷେତ୍ରରେ ପ୍ରାୟ ୬ଟି ବର୍ଗରେ ଏହି ଚ୍ୟାଲେଞ୍ଜକୁ ବିଭକ୍ତ କରାଯାଇଥିଲା । ଫାଇନାଲ ରାଉଣ୍ଡକୁ ୪୪ଟି ଷ୍ଟାର୍ଟ-ଅପ୍ ମନୋନୀତ ହୋଇଥିବା ବେଳେ ‘ଗ୍ରୋଜିପ୍’ ପ୍ରତିଦ୍ୱନ୍ଦିତା କରି ଏହି ସଫଳତା ଲାଭ କରିଛି ।

ଏହି ଷ୍ଟାର୍ଟ-ଅପ୍ ପ୍ରତିଯୋଗିତାକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଓ ପଶୁ ସଂପଦ ବିଭାଗ ମିଳିତଭାବେ ଆରମ୍ଭ କରିଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧, ୨୦୧୯ରେ ମଥୁରାଠାରେ ଉଦଘାଟନ କରିଥିଲେ । ଏଥିପାଇଁ ୧୫୭ଟି ପ୍ରବେଶିକା ଆସିଥିବା ବେଳେ ୪୪ଟି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ମେ ୮ ତାରିଖରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ଏକ ସମାରୋହରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କେନ୍ଦ୍ର ମତ୍ସ୍ୟ, ପଶୁସଂପଦ  ମନ୍ତ୍ରୀ ଗିରିରାଜ ସିଂ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ କୁମାର ବାଲ୍ୟାନ ଓ ସଚିବ ଅତୁଲ୍ ଚତୁର୍ବେଦୀ ଉପସ୍ଥିତ ଥିଲେ ।

ପ୍ରତିଯାଗିତାରେ ସାମିଲଥିବା ୧୫୭ଟି ପ୍ରବେଶିକାକୁ ଷ୍ଟାର୍ଟ-ଅପ୍ ବିଶେଷଜ୍ଞମାନେ ଯାଞ୍ଚ କରିବା ସହ ଫାଇନାଲିଷ୍ଟମାନଙ୍କୁ ଚୂଡ଼ାନ୍ତ କରିଥିଲେ । ଫାଇନାଲିଷ୍ଟମାନଙ୍କୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ଜୁରୀ କମିଟି ଚୟନ କରିଥିଲା । ବିଜେତାମାନଙ୍କୁ ଅର୍ଥ ପୁରସ୍କାର ସହ ମେଣ୍ଟରସିପ୍ ସପର୍ଟ, ମାଷ୍ଟର କ୍ଲାସ ଓ ଇନକୁବେସନ ସହାୟତା ପ୍ରଦାନ କରାଯିବ ବୋଲି ଯୁଗ୍ମ ସଚିବ ମିହିର ସିଂ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ‘ଗ୍ରୋଜିପ୍’ ହେଉଛି ଏକ ଟେକ୍ନୋଲୋଜିଭିତ୍ତିକ ଆପ ଯାହାକି ସ୍ଥାନୀୟ ସ୍ତରରେ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଡେଲିଭରି ସହାୟତା ପ୍ରଦାନ କରିଥାଏ । ଏହି ଷ୍ଟାର୍ଟଅପକୁ ପୂର୍ବରୁ ଆଲିବାବା ପ୍ରତିଷ୍ଠାତା ଜାକ ମା ମେଣ୍ଟରସିପ ସହାୟତା ପ୍ରଦାନ କରିସାରିଛନ୍ତି । ଏହା ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ବିଭିନ୍ନ କମ୍ପାନି ଓ କୋପରେଟିଭ ସୋସାଇଟିଗୁଡ଼ିକ ସହ କାମ କରି ସେମାନଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହାୟତା ପ୍ରଦାନ କରିଥାଏ । ତୃଣମୂଳ ସ୍ତରରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଗଢିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା କ୍ଷେତ୍ରରେ ‘ଗ୍ରୋଜିପ୍’ ବିଶ୍ୱାସ କରେ ବୋଲି ଏହାର ପ୍ରତିଷ୍ଠାତା ତଥା ସିଇଓ ଆନନ୍ଦ ମିଶ୍ର କହିଛନ୍ତି ।