ଓଡିଶାର ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଦାୟିତ୍ୱ ପୁଣି ସମ୍ଭାଳିବେ ସୁବ୍ରତ ବାଗଚୀ

53

କନକ ବ୍ୟୁରୋ : ସୁବ୍ରତ ବାଗଚିଙ୍କୁ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଭାବେ ବିଶିଷ୍ଟ ଶିକ୍ଷାବିତ ବିଜୟ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି। ଶ୍ରୀ ବାଗଚି ନିଜର କିଛି ବନ୍ଧୁଙ୍କ ସହ ମିଶି ପ୍ରତିଷ୍ଠା କରିଥିବା ସୂଚନା ପ୍ରଯୁକ୍ତି (ଆଇଟି) କଂପାନି ମାଇଣ୍ଡଟ୍ରିର ଦେଖାଶୁଣା କରିବା ପାଇଁ ଗତ ମାର୍ଚ ୧୭ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ।

source: google

ଏଲ୍‌ଆଣ୍ଡ୍‌ଟି  ପକ୍ଷରୁ ମାଇଣ୍ଡଟ୍ରିକୁ ବଳପୂର୍ବକ ଅଧିଗ୍ରହଣ କରିବାକୁ ପ୍ରୟାସ କରାଯିବା ପରେ ତାହାକୁ ବଞ୍ଚାଇବା ପାଇଁ ସେ ହଠାତ ଇସ୍ତଫା ଦେଇ ବେଙ୍ଗାଲୁରୁ ଚାଲିଯାଇଥିଲେ। ତେବେ ଆସନ୍ତା ଜୁଲାଇ ମାସରେ ମାଇଣ୍ଡଟ୍ରିରୁ ସେ ଅବସର ଗ୍ରହଣ କରିବେ ବୋଲି ସେ ଘୋଷଣା କରିଥିଲେ। ଏହାର ଦିନକ ପରେ ତାଙ୍କୁ ଓଏସ୍ଡିଏର ଅଧ୍ୟକ୍ଷ ଭାବେ ପୁନର୍ବାର ନିଯୁକ୍ତି ପ୍ରଦାନ କରାଯାଇଛି। ବଲାଙ୍ଗୀରର ପାଟନାଗଡ଼ରେ ଜନ୍ମିତ ବାଗଚୀଙ୍କୁ ୨୦୧୬ ମେ’ ୧ରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମଧ୍ୟ ଦିଆଯାଇଥିଲା।

ବାଗଚୀ ନିଜର ବୃତ୍ତିଗତ ଯାତ୍ରା ୧୯୭୬ରେ ରାଜ୍ୟ ଶିଳ୍ପ ବିଭାଗର ଜଣେ କିରାଣି ଭାବେ ଆରମ୍ଭ କରିଥିଲେ। ଏକ ବର୍ଷ ସେହି ପଦରେ କାମ କରିବା ପରେ ସେ ଡିସିଏମରେ ମ୍ୟାନେଜମେଣ୍ଟ୍ ଟ୍ରେନି ଭାବେ ଯୋଗ୍ୟତା ହାସଲ କରିଥିଲେ ଏବଂ ସେଠାରେ ପାଞ୍ଚ ବର୍ଷ କାମ କରିଥିଲେ। ୧୯୮୧ରେ ସେ କମ୍ପ୍ୟୁଟର ଶିଳ୍ପରେ ପ୍ରବେଶ କରି ଅନେକ କଂପାନି ପାଇଁ ୧୯୯୯ ମସିହା ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ବିକ୍ରି, ମାର୍କେଟିଂ ଓ ଅପରେସନ୍ ଭଳି ବିଭାଗରେ କାମ କରିଥିଲେ।

ଅଜିମ ପ୍ରେମଜୀଙ୍କ କଂପାନି ୱିପ୍ରୋର ଗ୍ଲୋବାଲ ଆରଆଣ୍ଡଡିର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମଧ୍ୟ ସେ କାମ କରିଥିଲେ। ୧୯୯୯ରେ ସେ ଲୁସେଣ୍ଟ୍ ଟେକ୍ନୋଲୋଜିସ୍ ନାମକ ଏକ କଂପାନିରେ ଯୋଗ ଦେଇଥିଲେ। ଏକବର୍ଷ ସେଠାରେ କାମ କରିବା ପରେ ଚାକିରି ଛାଡ଼ି ନିଜ ଅନ୍ୟ ୯ ଜଣ ବନ୍ଧୁମାନଙ୍କ ସହ ମିଶି ୧୯୯୯ ମସିହାରେ ‘ମାଇଣ୍ଡଟ୍ରି’ ସ୍ଥାପନ କରିଥିଲେ। ଏହି କଂପାନିରେ ଏବେ ୨୦ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଏହା ଏକ ବିଶ୍ବସ୍ତରୀୟ ଆଇଟି କଂପାନିରେ ପରିଣତ ହୋଇପାରିଛି। ଭୁବନେଶ୍ବରରେ ଏହାର ଏକ କ୍ୟାମ୍ପସ ମଧ୍ୟ ରହିଛି।

ମାଇଣ୍ଡଟ୍ରି ଆରମ୍ଭ ହେବା ସମୟରେ ସେ କଂପାନିର ଚିଫ୍ ଅପରେଟିଂ ଅଫିସର ଭାବେ କାମ କରୁଥିଲେ। ୨୦୧୦ରେ ତାଙ୍କୁ କଂପାନିର ଉପାଧ୍ୟକ୍ଷ ଭାବେ ବୋର୍ଡରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୧୨ ଏପ୍ରିଲ ୧ରେ ସେ ମାଇଣ୍ଡଟ୍ରିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୬ ଜାନୁଆରିରେ ସେ ସେହି ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ମାସ ପରେ ତାଙ୍କୁ ଓଡ଼ିଶା ସରକାର ଦକ୍ଷତା ବିକାଶ କତୃର୍ପକ୍ଷରେ ନିଯୁକ୍ତି ପ୍ରଦାନ କରିଥିଲେ।