ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ମିଳିବ ସୂଚନା! ରାଏମସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

41

କନକ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ମିଳିବ ସୂଚନା । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଓ ଥାଇଲ୍ୟାଣ୍ଡର ବ୍ୟାଙ୍କକ ସ୍ଥିତ ଆଂଚଳିକ ବହୁମୁଖି ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥା ରାଏମସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଦ୍ୱାରା ରାଜ୍ୟରେ ହେଉଥିବା ବଡ ଧରଣର ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି, ବଜ୍ରପାତ, ଗ୍ରୀଷ୍ମପ୍ରବାହ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ ।

ପ୍ରାଥମିକ ପର୍ଯ୍ୟାୟରେ ଏହି ଚୁକ୍ତି ପାଂଚ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ଆଠ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିଭଳି କୃଷି ଓ କୃଷକଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ବିଭିନ୍ନ କମ୍ପାନୀ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା କମ୍ପାନୀ ଗୁଡ଼ିକ ହେଲେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଓ ଗ୍ରାମ୍ୟ ଉନ୍ନୟନ ଫାଉଣ୍ଡେସନ, କୃଷି ପରିବେଶ ନିରାପତା ଫାଉଣ୍ଡେସନ ଓ ଜାତୀୟ ନବସୃଜନ ଫାଉଣ୍ଡେସନ ।

ଏହି ବୁଝାମଣା ପତ୍ର ଅନୁଯାୟୀ ଅସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଦୁଇ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ଆୟକୁ ଦୁଇଗୁଣିତ କରିବା ପାଇଁ ପଦେକ୍ଷପ ନିଆଯିବ । ଏହାଦ୍ୱାରା କୃଷକ ବିଶେଷ ଭାବେ ଉପକୃତ ହେବେ । ସେହିପରି କୃଷି ପରିବେଶ ନିରାପତ୍ତା ଫାଉଣ୍ଡେସନ ରାଜ୍ୟର ଜମି ଓ ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର କରି ପ୍ରାକୃତିକ ସମ୍ବଳର ସୁବିନିଯୋଗ ନିମନ୍ତେ ଗ୍ରାମ୍ୟ ଅନୁଷ୍ଠାନ ଓ ସ୍ଥାନୀୟ ସଂଘ ମାଧ୍ୟମରେ କାର୍ଯ୍ୟ କରିବ। ଏହି ବୁଝାମଣାପତ୍ର ଅନୁଯାୟୀ କୃଷି ବିଭାଗ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ କୃଷି ଉତ୍ପାଦନ ଖର୍ଚ ହ୍ରାସ ଏବଂ ଉତ୍ପାଦନ ବୃଦ୍ଧି ଦ୍ୱାରା ରାଜ୍ୟର ଚାଷୀମାନଙ୍କ ରୋଜଗାର ଦ୍ୱିଗୁଣିତ ହୋଇପାରିବ। ଏ ଦିଗରେ ବୁଝାମଣାପତ୍ର ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆରଆଇଏମ୍‌ଇଏସ୍‌ ସଂସ୍ଥା ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ବିପର୍ଯ୍ୟୟ ପରିଚାଳନା ଜନିତ ଧନଜୀବନ କ୍ଷତି ହ୍ରାସ କରିପାରିବ।