ଖୁବଶୀଘ୍ର ଓଡ଼ିଶାରେ ରାଜକୀୟ ପର୍ଯ୍ୟଟନ ! ୯ ରାଜ ପ୍ରସାଦରେ ଆରମ୍ଭ ହେବ ରୟାଲ ଟୁରିଜିମ୍‌

295

କନକ ବ୍ୟୁରୋ : ରାଜା ଘର ଭଳି ଜୀବନଟେ ଜୀଇଁବାକୁ କିଏ ବା ନଚାହେଁ । ରାଜାଘର ନଅ ଭଜା ଛଅ ତିଅଣରେ କାହାର ବା ଲୋଭ ନଥାଏ । ପୁଣି ରାଜପ୍ରସାଦର ପଲଙ୍କରେ ରାତି ବିତେଇବାର ସ୍ୱପ୍ନ କାହାର ବା ନଥାଏ । ଏହିସବୁ ସ୍ୱପ୍ନମାନଙ୍କୁ ସାକାର ରୂପ ଦେଉଛି ରାଜ୍ୟର ୯ଟି ରାଜପ୍ରାସାଦ । ଏହା କେବଳ ରାଜକୀୟ ଇଚ୍ଛାକୁ ସାକାର କରିବ ନାହିଁ ବରଂ ଏଇଠି ରାତି ବିତେଇବା ସହ ଆପଣ ଆଖପାଖରେ ଥିବା ସମୃଦ୍ଧ ପର୍ଯ୍ୟଟନସ୍ଥଳୀକୁ ଉପଭୋଗ କରିବାର ସୁଯୋଗ ପାଇପାରିବେ । ‘ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌’ ଆପଣଙ୍କ ପାଇଁ ଏହିଭଳି ଏକ ସୁଯୋଗ ଆଣିଛି । ରାଜସ୍ଥାନରେ ଏହି ଟୁର୍‌ ପ୍ୟାକେଜ୍‌ର ଲୋକପ୍ରିୟତା ବଢ଼ୁଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ହୋମ୍‌ ଷ୍ଟେ ଭଳି ଏହାକୁ ସ୍ୱତନ୍ତ୍ର ସ୍ୱୀକୃତି ଦେବା ପାଇଁ ସଜବାଜ ହେଉଛି ।

୧୮୬୦ରେ ଗଢ଼ା ଯାଇଥିବା ଢେଙ୍କାନାଳ ପ୍ୟାଲେସଠୁ ଆରମ୍ଭ କରି ୧୭୦୦ ଖ୍ରୀଷ୍ଟାବ୍ଦରେ ଗଢ଼ି ଉଠିଥିବା କେନ୍ଦ୍ରାପଡ଼ାର ଆଳି ରାଜପ୍ରାସାଦ, ତାଳଚେର ପ୍ୟାଲେସ୍‌, ଢେଙ୍କାନାଳ ବୋରପଡ଼ାର ଗଜଲକ୍ଷ୍ମୀ ପ୍ୟାଲେସ୍‌, କଳାହାଣ୍ଡି ପ୍ୟାଲେସ୍‌, ଡାଲିଯୋଡ଼ି ପ୍ୟାଲେସ୍‌ ଓ ନୀଳଗିରି ପ୍ୟାଲେସ୍‌ ଆଦିରେ ରହି ରାଜକୀୟ ଜୀବନ ଜୀଇଁବା ସହ ପର୍ଯ୍ୟଟନସ୍ଥଳୀ ଉପଭୋଗ କରିବା ପାଇଁ ରାଜ ପରିବାର ତରଫରୁ ବ୍ୟବସ୍ଥା ହେଉଛି । ବିଶେଷକରି ଢେଙ୍କାନାଳ ପ୍ୟାଲେସ୍‌ ରାଜ୍ୟର ଏକମାତ୍ର ଦୁର୍ଗ ମଧ୍ୟରେ ଥିବା ରାଜପ୍ରାସାଦ ହୋଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି। ଭଗୀରଥି ମହେନ୍ଦ୍ର ବାହାଦୁର ଏହାର ନିର୍ମାଣ କରିଥିବା ବେଳେ ରାଜ ପରିବାରର ୭ଟି ପିଢ଼ୀଙ୍କ ଜୀବନ ଏଇଠାରେ ବିତିଛି । ଏଠାରେ ପୂର୍ବରୁ ୨ଟି ରୁମ୍‌ ଥିବା ବେଳେ ସଂପ୍ରତି ୧୧ଟି ରୁମ୍‌ ରହିଛି । ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହି ରାଜପ୍ରାସାଦ ମଧ୍ୟରେ ଥିବା ଏକ ହାତୀର ମୁଣ୍ଡ ।

ରାଜ ପରିବାରର ଦାୟାଦ ଅମରଜ୍ୟୋତି ସିଂହଦେଓଙ୍କ କହିବା ମୁତାବକ, ସିମିଳିଆର ଏକ ହାତୀ ୯ଜଣଙ୍କୁ ମାରିବା ପରେ ୧୯୨୯ରେ ହାତୀକୁ ମରାଯାଇ ତା’ର ମୁଣ୍ଡକୁ ରାଜପ୍ରାସାଦରେ ଟଙ୍ଗା ଯାଇଥିଲା । ଯାହା ଏବେ ବି ପ୍ରାସାଦ ମଧ୍ୟରେ ଶୋଭା ପାଉଛି । ପର୍ଯ୍ୟଟକମାନେ ଏଠାରେ ରହି ସ୍ୱର୍ଣ୍ଣ ତ୍ରିଭୂଜ, ହିରକ ତ୍ରିଭୂଜ, ଚାଳିଖୋଲ ପାଣି ଓହଳା ପାହାଡ଼, ଯୋରନ୍ଦାର ଅଲେଖ ମହିମା ମନ୍ଦିର, ସଡ଼େଇବେରେଣୀର ଡୋକ୍ରା କାରିଗରୀ, ନୂଆପାଟଣାର ହସ୍ତତନ୍ତ, ଆଦିବାସୀ ପର୍ଯ୍ୟଟନ କ୍ଷେତ୍ର ସମେତ ଅନ୍ୟ ପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲିବାର ସୁଯୋଗ ପାଇପାରିବେ । ଶ୍ରୀ ସିଂହଦେଓଙ୍କ କହିବା ମୁତାବକ, ଭାରତ ସରକାକରଙ୍କ ନୀତି ଅନୁଯାୟୀ ୧୯୫୦ ପୂର୍ବରୁ ଗଢ଼ା ଯାଇଥିବା ରାଜପ୍ରାସାଦଗୁଡ଼ିକୁ ଐତିହ୍ୟ ପ୍ରାସାଦ ଘୋଷଣା କରାଯାଇଛି । ସଂପ୍ରତି ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ରାଜପ୍ରାସାଦ ଟୁର୍‌ ପ୍ୟାକେଜ୍‌କୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ବିଚାର କରିଥିବାରୁ ଏହା ରାଜ୍ୟ ପାଇଁ ବିପୁଳ ସମ୍ଭାବନା ଆଣିବ ବୋଲି ସେ କହିଛନ୍ତି ।

ସେହିପରି ଆଳି ରାଜପ୍ରସାଦରେ ପର୍ଯ୍ୟଟକମାନେ ରହିବା ସହ ୧୭ଶହ ଖ୍ରୀଷ୍ଟାବ୍ଦର ରାଜକୀୟ ଜୀବନଶୈଳୀକୁ ପାଖରୁ ପରଖି ପାରିବେ । ଏଥିସହ ଏହାର ଆଖପାଖରେ ଥିବା ଭିତରକନିକା ସମେତ ହିରକ ତ୍ରିଭୁଜ ଏବଂ ଜୈବବିବିଧ ପର୍ଯ୍ୟଟନସ୍ଥଳୀର ମଜା ଉଠାଇ ପାରିବେ । ପୁରୁଣା ମନ୍ଦିର, ରାଜବାଟୀ, ରାଣୀମହଲ, ଘୋଡ଼ାଶାଳ ମଧ୍ୟ ଦେଖିପାରିବେ ବୋଲି କହିଛନ୍ତି ରାଜ ପରିବାରର ଦାୟାଦ ବ୍ରଜକିଶୋର ଦେବ । ସେହିଭଳି ଅନ୍ୟ ରାଜପ୍ରାସାଦରେ ମଧ୍ୟ ହୋମ୍‌ ଷ୍ଟେ ବ୍ୟବସ୍ଥା ହେଉଥିବା ବେଳେ ଆଗାମୀ ଦିନରେ ଏହା ରାଜ୍ୟ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିବ । ସମସ୍ତ ରାଜପ୍ରସାଦ ଟୁର୍‌ ପ୍ୟାକେଜ୍‌କୁ ଉପଭୋଗ କରିବା ପାଇଁ ସଂପୃକ୍ତ ରାଜପ୍ରାସାଦର ୱେବସାଇଟରେ ବୁକିଂ କରିବାର ସୁବିଧା ରହିଛି । ଇଆଟୋ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌ ସମ୍ବନ୍ଧରେ ଏକ ଷ୍ଟଲ୍‌ ଲାଗିଥିବା ବେଳେ ଏହା ବହୁ ଟୁର୍‌ ଅପରେଟଙ୍କ ଦୃଷ୍ଟି ଆକର୍ଷଣ କରିଛି । ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିିତିନ ଭାନୁଦାସ ଜଓ୍ଵାଲେ ଏ ବାବଦରେ ମତ ରଖି କହିଛନ୍ତି ଯେ, ଆମେ ରୟାଲ ଟୁରିଜମ୍‌କୁ ଉତ୍ସାହିତ କରୁଛୁ । ଏହା ନିକଟ ଭବିଷ୍ୟତରେ ଏକ ନୂଆ ଦିଗ ଖୋଲିବ ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।