କେରଳରେ ଭୟଙ୍କର ବନ୍ୟାସ୍ଥିତି : ଉଦ୍ଧାର ପାଇଁ କେରଳ ଯିବେ ଓଡ଼ିଶାର ୨୪୦ ଜଣ ଅଗ୍ନିଶମ କର୍ମଚାରୀ

132

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଫସି ରହିଛନ୍ତି ହଜାର ହଜାର ଲୋକ । ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏବେ ୧୫୬୮ଟି ଆଶ୍ରୟସ୍ଥଳରେ ରହିଛନ୍ତି । ରାଜ୍ୟରେ ଏବେ ସମୁଦାୟ ୮୦ଟି ଡ୍ୟାମ୍ ଖୋଲାଯାଇଛି। ତେବେ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶାରୁ କେରଳ ଯିବେ ଉଦ୍ଧାରକାରୀ ଟିମ୍ । ଆଜି ସ୍ୱତନ୍ତ୍ର ବିମାନ ଯୋଗେ କେରଳ ଯିବେ ଅଗ୍ନିଶମ ବିଭାଗର ଟିମ୍ । ୨୪୦ ଜଣ ଅଗ୍ନିଶମ କର୍ମଚାରୀ, ୭୫ ଟି ସ୍ପୀଡ଼୍ ବୋଟ୍ ଓ କିଛି ଜରୁରୀ ଉପକରଣ ନେଇ ଓଡ଼ିଶାରୁ ଟିମ୍ କେରଳ ଯାଉଛି । ସେପଟେ କେରଳରେ ବନ୍ୟାଂଚଳ ପରିଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ କେରଳର ବନ୍ୟା ପ୍ରଭାବିତ ଅଂଚଳ ସବୁ ପରିଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେ କେରଳରେ ପହଁଚିବା ପରେ ରାଜଭବନରେ ରାତ୍ରିଯାପନ କରିଥିଲେ । ଆଜି ସକାଳୁ ଆକାଶମାର୍ଗରୁ କେରଳର ବନ୍ୟାସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଚଳିତ ଶତାବ୍ଦୀର ସବୁଠାରୁ ବଡ ବନ୍ୟାରେ ଦେଖିବାକୁ ମିଳିଛି କେରଳର କରାଳ ରୂପ । ବନ୍ୟା ଏବଂ ବର୍ଷା ଏ ପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟନ ଏହା ଟୁଇଟ କରି ସୂଚନା ଦେଇଛନ୍ତି । ପାଖାପାଖି ୨.୨ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ଏବଂ ସେମାନେ ରିଲିଫ କ୍ୟାମ୍ପରେ ରହିଛନ୍ତି । ଏହି ବନ୍ୟାରେ ସମଗ୍ର ରାଜ୍ୟରୁ ପ୍ରାୟ ୨କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ପାଲକଡାର ନେନମାରରେ ମାଟି ଧସିବା କାରଣରୁ ୧୦ ଜଣ ପ୍ରାଣ ହରାଇଛନ୍ତି । ସେଠାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପଂଜାବ ଏବଂ ଦିଲ୍ଲୀ ଭଳି ରାଜ୍ୟ ୧୦ କୋଟି ଲେଖାଁଏ ସହାୟତା ରାଶି କେରଳ ବନ୍ୟା ପ୍ରଭାବିତଙ୍କୁ ପ୍ରଦାନ କରିଛନ୍ତି । ୨୦୯୪ଟି ରିଲିଫ କ୍ୟାମ୍ପରେ ବନ୍ୟା ପ୍ରପିଡିତଙ୍କୁ ସହାୟତା ପ୍ରଦାନ କରାଯାଉଛି ।

୧୪ଟି ଆର୍ମି ହେଲିକପ୍ଟର, ୭୯ଟି ଏନଡିଆରଏଫ ବୋଟ, ୪୦୩ଟି ମତ୍ସ୍ୟଜୀବୀଙ୍କ ବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଜଳର ସ୍ରୋତ ଅଧିକ ଥିବାରୁ ଚାଲାକୁଦି, ଚେଙ୍ଗାନୁର ଅଂଚଳରେ ସ୍ଥିତି ସଙ୍ଗିନ ରହିଛି । ଆଜି ଅଧିକ ସଂଖ୍ୟକ ବୋଟ ଏବଂ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧୦କୋଟି ଟଙ୍କାର ବନ୍ୟା ରିଲିଫ ଦିଆଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ମେଟ୍ରିକ ଟନର ରନ୍ଧାଖାଦ୍ୟ ବନ୍ୟା ବିପନ୍ନ ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ମାନେକା ଗାନ୍ଧି ସୂଚନା ଦେଇଛନ୍ତି । ଦକ୍ଷିଣ ରେଳବାଇ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ପାଣି ବୋତଲ ଯୋଗାଇବାର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି । ଷ୍ଟାର ଇଣ୍ଡିଆ ପକ୍ଷରୁ ମଧ୍ୟ ୨କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରାଯାଇଛି ।