ଡରାଉଛି ଜ୍ୱର ! ରାଜ୍ୟରେ ଘାତକ ହେଲାଣି ସ୍ୱାଇନ ଫ୍ଲୁ ଓ ଡ଼େଙ୍ଗୁ

30

କନକ ବ୍ୟୁରୋ: ଡରାଉଛି ଜ୍ୱର । ଡ଼େଙ୍ଗୁ ଓ ସ୍ୱାଇନ ଫ୍ଲୁରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାଇନ ଫ୍ଲୁରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ସାଲେପୁର ଅଂଚଳର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି ।

ଗୋଟିଏ ଦିନ ପୂର୍ବରୁ ଏସସିବି ଓ ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ୪ ଜଣ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଗୋଟିଏ ଦିନରେ ୩୦ଟି ରକ୍ତ ନମୁନା ପରୀକ୍ଷା ପାଇଁ ଆସିଥିବା ବେଳେ ୧୨ ଟି ପଜିଟିଭ୍ ରହିଥିଲା । ସେପଟେ କୋରାପୁଟ ଡାକ୍ତରଖାନାରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଦଶମନ୍ତପୁର ବ୍ଲକ ଭଜିପୁଟ ଗାଁର ଗୌରଚନ୍ଦ୍ର ଖୋସଲାଙ୍କ ପତ୍ନୀ ମାଣିକଙ୍କ ରକ୍ତ ନମୂନାରେ ଏନ୧ଏଚ୧ ଭୂତାଣୁଥିବା ଜଣାପଡିଛି ।

ସେପଟେ ଡେଙ୍ଗୁ ମଧ୍ୟ ରାଜ୍ୟରୁ ମୁଣ୍ଡ ନେଉଛି । ଗତକାଲି ଡ଼େଙ୍ଗୁରେ ରାଜ୍ୟର ଦ୍ୱିତୀୟ ମୃତ୍ୟୁ ହୋଇଛି । ଏସସିବିରେ ଚିକିତ୍ସିତ ଅବସ୍ଥାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏସସିବି ମେଡିକାଲ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ମୃତକ ଭଦ୍ରକ ବାସୁଦେବପୁର ଅଂଚଳର ହରିହର ମଲ୍ଲିକ ବୋଲି ଜଣାପଡିଛି । ଗତ ୮ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହରିହରଙ୍କ ମୃତ୍ୟୁ ପରେ ଡ଼େଙ୍ଗୁରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।