ଓଡ଼ିଶା ରାଜନୀତିରେ ନିଆଁ ଲଗାଇଲା ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ତାଲିକା । ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି, କେଉଁଠାରୁ ଫିଡବ୍ୟାକ ନେଲେ ତାହାର ତର୍ଜମା କରିବାକୁ କହିଲା ବିଜେଡି

40

କନକ ବ୍ୟୁରା : ଓଡିଶାରେ ବେପାର କରିବା ଧୀରେ ଧୀରେ ହେଉଛି କଷ୍ଟ । ବିଶ୍ୱ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ ଦ୍ୱାରା ୨୦୧୮ ପାଇଁ ପ୍ରକାଶିତ ଇଜ୍ ଅଫ ଡୁଇଙ୍ଗ ବିଜିନେସ ଅର୍ଥାତ ବ୍ୟବସାୟ କରିବା ପାଇଁ କେଉଁ ରାଜ୍ୟରେ କେତେ ସୁବିଧା ଉପଲବ୍ଧ ତାଲିକାରେ ଓଡିଶାର ସ୍ଥାନ ୧୪କୁ ଖସିଆସିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆକ୍ଷେପ ଓ ପ୍ରତ୍ୟାକ୍ଷେପ । ରାଜ୍ୟ ସରକାର ଶିଳ୍ପ ପାଇଁ ବାତାବରଣ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ, ବିଜେଡି ଆଗକୁ ତାଲିକାରେ ଏକ ନମ୍ବର ହେବ ବୋଲି ଦାବୀ କରିଛି ।

ବିଶ୍ୱ ବ୍ୟାଙ୍କ ଏବଂ ଶିଳ୍ପ ନୀତି ଓ ଉନ୍ନତି ବିଭାଗ ଦ୍ୱାରା ପ୍ରକାଶିତ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସର ରାଜ୍ୟୱାରୀ ତାଲିକା ପ୍ରକାଶ ପାଇଛି । ଏହି ରିପୋର୍ଟରେ କେଉଁ ରାଜ୍ୟରେ ବ୍ୟବସାୟ କରିବା କେତେ ସହଜ ତାକୁ ନେଇ କରାଯାଇଛି ଏହି ତାଲିକା । ଯେଉଁଥିରେ ଓଡିଶା ରହିଛି ୧୪ ନମ୍ବର ସ୍ଥାନରେ । ସମୁଦାୟ ୯୨ ଦଶମିକ ୦୯ ଶତକଡା ନମ୍ବର ପାଇ ଦେଶର ୧୩ଟି ରାଜ୍ୟ ତଳକୁ ରହିଛି ଓଡିଶା । ପଡୋଶୀ ଆନ୍ଧ୍ର ପ୍ରଦେଶ ତାଲିକାର ସବୁଠାରୁ ଉପରେ ରହିଥିବା ବେଳେ ତେଲେଙ୍ଗାନା ଓ ହରିଆଣା ଯଥାକ୍ରମେ ଦୁଇ ଓ ତିନି ନମ୍ବର ସ୍ଥାନରେ ରହିଛନ୍ତି । ରାଜ୍ୟ ୧୪ତମ ସ୍ଥାନରେ ରହିବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ । ବିଜେପି କହିଛି ପୁଞ୍ଜିନିବେଶକାରୀଙ୍କ ବିଶ୍ୱାସ ଜିତି ପାରିନାହାନ୍ତି ରାଜ୍ୟ ସରକାର । କଂଗ୍ରେସ କହିଛି , ଓଡିଶାରେ ଜଣେ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନେକ ଅଫିସର ଦ୍ୱାରସ୍ଥ ହେବାକୁ ପଡୁଛି । ତେଣୁ ଏହା ଉପରେ କୌଣସି ବିଧି ବ୍ୟବସ୍ଥା ଗ୍ରହଣ କଲେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ଉପକୃତ ହୋଇପାରିବ । ତେବେ ବିରୋଧୀଙ୍କ ଅଭିଯୋଗ ଉପରେ ବିଜେଡି କହିଛି, ଆଗାମୀ ଦିନରେ ଆମେ ଏହି ତାଲିକାରେ ନମ୍ବର ୱାନ ହେବାକୁ ଚେଷ୍ଟା କରିବୁ ।

ଗତ ବର୍ଷ ଓଡିଶା ଏହି ତାଲିକାରେ ଏକାଦଶତମ ସ୍ଥାନରେ ଥିଲା । ଏପରିକି ୨୦୧୬ରେ ରାଜ୍ୟ ୭ମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ମାପଦଣ୍ଡରେ କିଛି ପରିବର୍ତନ କରାଯାଇଥିବା ଯୋଗୁ ରାଜ୍ୟ ତାଲିକାରେ ତଳକୁ ଆସିଥିବା କୁହାଯାଉଛି । ନିବେଶକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ବାହାରେ ରୋଡ ଶୋ ଓ ମେକ୍ ଇନ୍ ଓଡିଶା ପରି ବ୍ୟାପକ କାର୍ଯ୍ୟକ୍ରମ କରିବା ସତ୍ୱେ ତାଲିକାରେ ରାଜ୍ୟର ନିମ୍ନଗାମୀ ଗତି ଏବେ ବିରୋଧୀଙ୍କୁ ଆକ୍ଷେପ କରିବାକୁ ଖୋରାକ ଯୋଗାଇଛି ।