ସଫଳତାକୁ ସମ୍ମାନ ! ଜାତୀୟ ଦରବାରରେ ଏସିଆନ୍ ଆଥଲେଟିକ୍ ମିଟ୍ ପାଇଁ ଓଡ଼ିଶା ସମ୍ମାନିତ

89

କନକ ବ୍ୟୁରୋ : ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ଆଉ ଆଜିର ଦିନରେ ଓଡିଶାକୁ ମିଳିଛି ସ୍ୱତନ୍ତ୍ର ସମ୍ମାନ । ଏସୀୟ ଦୌଡକୁଦ ଆୟୋଜନ ପାଇଁ ଓଡିଶାକୁ ମିଳିଛି ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର । ଅର୍ଜୁନ ପୁରସ୍କାର ସମାରୋହରେ ରାଜ୍ୟକୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶା ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତିି ଇଡକୋ ସିଏମଡି ସଂଜୟ ସିଂହ ।

ଜୁଲାଇ ୬ ତାରିଖରେ ରାଜଧାନୀରେ ଆୟୋଜିତ ହୋଇଥିଲା ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗୀତା । କ୍ରୀଡାର ଏହି ମହାକୁମ୍ଭରେ ଭାଗ ନେଇଥିଲେ ୪୫ଟି ଦେଶର ପ୍ରାୟ ୮୦୦ କ୍ରୀଡାବିତ୍ । ତେବେ ପ୍ରଥମ ଥର ପାଇଁ ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗୀତା ଆୟୋଜନ କରିଥିଲା ଓଡିଶା । ତେଣୁ ଏହା ଓଡିଶା ପାଇଁ ପାଲଟି ଯାଇଥିଲା ସମ୍ମାନର ବିଷୟ ।

ଅନ୍ୟ ଦେଶ ଏବଂ ରାଜ୍ୟ ପାଇଁ ଯଦିଓ ଏହା ଏକ ପ୍ରତିଯୋଗୀତା ଥିଲା କିନ୍ତୁ ଓଡିଶା ପାଇଁ ଏହା ଥିଲା ଏକ ଚ୍ୟାଲେଂଜ୍ । ଯାହାକୁ ପୁରା କରିବାକୁ ସମୟ ଥିଲା ମାତ୍ର ୯୦ ଦିନ । ଏଭଳି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାକୁ ସଫଳତାର ସହ ପରିଚାଳନା କରିବାକୁ ଓଡ଼ିଶା ପାଖରେ ଥିଲା ମାତ୍ର ୯୦ ଦିନ । ଆଉ ଏହି ୯୦ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗ ଷ୍ଟାଡିୟମକୁ ପସ୍ତୁତ କରି ରେକର୍ଡ କରିଥିଲେ ରାଜ୍ୟ ସରକାର । ଷ୍ଟାଡିୟମର ସିନ୍ଥେଟିକ୍ ଅଭ୍ୟାସ ଟ୍ରାକ୍ ସହ ଫ୍ଲଡ୍ ଲାଇଟ୍ ଆଦି ପ୍ରସ୍ତୁତ ହୋଇଥିଲା ମାତ୍ର ୩ ମାସରେ । ଯେଉଁଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଇଡକୋ ।

ତେବେ ଓଡିଶା ସରକାର ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ସମ୍ଭବ ହୋଇପାରିଥିଲା । ଏହି କ୍ରୀଡାମହାକୁମ୍ଭର ଆୟୋଜନ ପାଇଁ ପ୍ରାୟ ୨୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟସରକାର ।

ପ୍ରତିଯୋଗୀତାକୁ ସଫଳତାର ସହ ଆୟୋଜନ କରି ବିଶ୍ୱ କ୍ରୀଡାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲା ଓଡିଶା । ପ୍ରତିଯୋଗୀତାକୁ ସଫଳତାର ସହ ଆୟୋଜନ କରିଥିବାରୁ ବିଶ୍ୱ ଦୌଡକୁଦ ସଂଘ, ଏସିଆନ୍ ଆଥଲେଟିକ୍ ଆସୋସିଏସନ୍, ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ପ୍ରଶଂସା କରିଥିଲେ ।