ଚତୁର୍ଥ ପର୍ଯ୍ୟାୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଯୋଦ୍ଧା ସାଜିବେ ପଞ୍ଚାୟତର ୬୭୯୮ ସରପଞ୍ଚ ।

2,661

କନକ ବ୍ୟୁରୋ : ଓଡ଼ିଶାକୁ ୩ଟି ପର୍ଯ୍ୟାୟରେ କରୋନା ପ୍ରବେଶ କରିଥିବା ବେଳେ ଏହାକୁ ସଫଳତାର ସହ ମୁକାବିଲା କରିଛନ୍ତି ରାଜ୍ୟ ସରକାର । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶାବାସୀ । ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରନ୍ତା ବ୍ୟକ୍ତିଙ୍କ ଜରିଆରେ ଭାରତକୁ ତଥା ରାଜ୍ୟକୁ ଆସିଥିଲା । ଯେଉଁଥିପାଇଁ ଓଡ଼ିଶା ସରକାର ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେବା ସହ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲେ । ଏହାସହ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିପାଇଁ ୪୬୦୦ରୁ ଅଧିକ ବିଦେଶ ଫେରନ୍ତା ବ୍ୟକ୍ତି ନିଜର ବାବଦରେ ସମସ୍ତ ତଥ୍ୟ ସରକାରଙ୍କୁ ଦେବା ସହ ପଞ୍ଜୀକରଣ କରିଥିଲେ । ଆଉ ଏହି ଆଗୁଆ ପଦକ୍ଷେପ ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୧୦ ଭିତରେ ସୀମିତ ରହିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିଥିଲା । ତେବେ ଗ୍ରାମାଞ୍ଚଳରେ ସାମୁହିକ ଚେତନା ଓ ସହଯୋଗ ବଳରେ ଏହି ସମସ୍ୟାକୁ ଆୟତ୍ତ କରାଯାଇ ପାରିଥିଲା । ସେହିଭଳି ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଭଳି ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ କରୋନା ଭୂତାଣୁ ଦେଖିବାକୁ ମିଳିଥିଲା । ତେବେ ଗ୍ରାମବାସୀଙ୍କ ସର୍ତକତା ଓ ସାବଧାନତା ପାଇଁ ଏହି ସଂକ୍ରମଣକୁ ଆୟତ୍ତରେ ରଖାଯାଇ ପାରିଛି ।

୩ଟି ପର୍ଯ୍ୟାୟରେ କରୋନା ସଂକ୍ରମଣ ଓଡ଼ିଶାରେ ହୋଇଥିଲେ ମଧ୍ୟ ଏହାକୁ ସଫଳତାର ସହ ମୁକାବିଲା କରିଛନ୍ତି ଓଡ଼ିଶାବାସୀ । କିନ୍ତୁ ଦିନେ ନା ଦିନେ ଲକଡାଉନ କୋହଳ ହେବ ଓ ରାଜ୍ୟ ବାହାରେ ଫଶି ରହିଥିବା ୫ ଲକ୍ଷରୁ ଅଧିକ ଓଡ଼ିଆ ଲୋକେ ଓଡ଼ିଶାକୁ ଫେରିବେ । ସର୍ବାଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଫେରିବେ ଓଡ଼ିଆ ଲୋକେ । ଯାହା ଚତୁର୍ଥ ପର୍ଯ୍ୟାୟ ଯୁଦ୍ଧ । ତେବେ ଗ୍ରାମାଞ୍ଚଳ ଲୋକଙ୍କର ଦୃଢତା, ସାବଧାନତା, ସର୍ତକତା ବଳରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଯୁଦ୍ଧକୁ ସଫଳତାର ସହ ପ୍ରତିରୋଧ କରାଯାଇପାରିଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ମହାନାୟକ ଗ୍ରାମାଞ୍ଚଳ ବାସିନ୍ଦା । ତେଣୁ ଚତୁର୍ଥ ପର୍ଯ୍ୟାୟର ମୁକାବିଲା ପାଇଁ ୬୭୯୮ ପଞ୍ଚାୟତର କାର୍ଯ୍ୟକର୍ତ୍ତାଙ୍କ ହାତରେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ପଞ୍ଚାୟତର କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ମୋ ପଞ୍ଚାୟତରେ ମୁଁ କରୋନା ରୋକିବି କିଛି ଏଭଳି ଶପଥ ପାଠ କରିବା ସହ ଚତୁର୍ଥ ପର୍ଯ୍ୟାୟ କରୋନା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ପଞ୍ଚାୟତସ୍ତରର ଯୋଦ୍ଧା । କେବଳ ଏତିକି ନୁହେଁ କରୋନାର ମୁକାବିଲା କ୍ଷେତ୍ରରେ ଓଡିଶାର ଗ୍ରାମ ପଞ୍ଚାୟତ ଗୁଡିକର ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ବାଗଚୀ ।