ଶକ୍ତି ମନ୍ତ୍ରୀଙ୍କ ‘ଶକ୍ତି’ ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସଫଳତା ବଖାଣିଲେ ସୁଶାନ୍ତ ସିଂ । କହିଲେ, ସ୍ଥିତିର ମୁକାବିଲା ନେଇ ହେଉଛି ପ୍ରୟାସ

31

କନକ ବ୍ୟୁରୋ: ଶକ୍ତି ମନ୍ତ୍ରୀଙ୍କ ଶକ୍ତି ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତି ବିଭାଗର ରିପୋର୍ଟ ଦେଇଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ  ଏବଂ ମନ୍ତ୍ରୀଙ୍କ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କେତେ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ଏବଂ ବର୍ତମାନ ସ୍ଥିତି କଣ , ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏପଟେ ସାରା ରାଜ୍ୟରେ ଜାରି ରହିଛି ଅଘୋଷିତ ବିଦ୍ୟୁତ୍ କାଟ୍ । ପ୍ରବଳ ଗରମରେ ବିଜୁଳି ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ଅସହ୍ୟ ତାତି ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ । ଘଂଟା ଘଂଟା ଧରି ବିଜୁଳିର ଦେଖାନାହିଁ । ନା ଘରେ ବସି ହେଉଛି ନା ବାହାରେ । ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଦିନରେ ଯେମିତି କେମିତି ଚଳିଯାଉଛି , ହେଲେ ରାତିରେ ନିଦ ହଜିଯାଉଛି । କେତେବେଳେ ବିଜୁଳି ରହୁଛି ତାର ହିସାବ ନାହିଁ । ଘଂଟା ଘଂଟା ଧରି ଅନ୍ଧାର । ଏଭଳି ସ୍ଥିତିରେ କେତେବେଳେ ପାୱାର କଟ୍ ତ ଆଉ କେତେବେଳେ ଟ୍ରାନ୍ସଫର୍ମର ଖରାପର ବାହାନା । ଥରେ କଟିଲେ ପୁଣି କେତେବେଳେ ବିଜୁଳି ଫେରିବ ତାର ଖବର କାହାପାଖରେ ନାହିଁ ।

ଏପଟେ ଶୁକ୍ରବାର ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଖରେ ବିଜୁଳି ପହଁଚିଛି, କି ନାହିଁ? କେତେ ଘରକୁ ବିଜୁଳି ସଂଯୋଗ ହୋଇଛି ଏବଂ କେଉଁଠି ଅପହଂଚ, ସେନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରି ବୁଝିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଭାଗର ସଫଳତା ବଖାଣିଛନ୍ତି ମନ୍ତ୍ରୀ । ଅନ୍ୟପଟେ ସେହି ସଫଳତା ଉପରେ ବିଜେପି ପ୍ରଶ୍ନ ଉଠାଇଛି ।