ପୁଣେରେ ନବୀନଙ୍କୁ ସମ୍ମାନ ପରେ ରାଜ୍ୟ ସରଗରମ ରାଜନୀତି ! ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ମହାକଳା ଫଳ ସହ ତୁଳନା କଲା ବିଜେପି

66

କନକ ବ୍ୟୁରୋ: ଗୋଟିଏ ପଟେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପରେ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରିଛି ବିଜେଡି । ସେପଟେ ଏହାକୁ ରାଜନୈତିକ ଷ୍ଟଂଟ ବୋଲି କହିଛି ବିରୋଧୀ ବିଜେପି । ଆଉ ଏହାରି ଭିତରେ ସରଗରମ ହୋଇ ରାଜ୍ୟ ରାଜନୀତି । କାରଣ ବିଜେପିର ଅଭିଯୋଗ ଏହା ପ୍ରାୟୋଜିତ ସମ୍ମାନ । ଯାହାକୁ କାଉଁଟର କରିଛି ବିଜେଡି ।

ଦଳ କହିଛି ଭାରତୀୟ ଛାତ୍ର ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଯେଉଁ ଚୟନ କମିଟିରେ ଅନେକ ଜ୍ଞାନୀ ଓ ଗୁଣୀ ବ୍ୟକ୍ତି ଅଛନ୍ତି । ଏପରିକି ଚୟନ କମିଟିରେ ବିଜେପି ନେତା ଓ ମାର୍ଗଦର୍ଶକ ଥିବାବେଳେ ଓଡିଶା ବିଜେପି ନେତା ସମ୍ମାନକୁ ନେଇ ପ୍ରଶ୍ନ ଉଠାଇବା ତୁଛା ରାଜନୀତି ବୋଲି କହିଛି ବିଜୁ ଜନତା ଦଳ । କାରଣ ଚୟନ କମିଟିରେ ଥିବା ବିଜେପି ନେତା ମୂରଲି ମନୋହର ଯୋଶୀ କହିଛନ୍ତି । ଓଡିଶାରେ ପଂଚମଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଲୋକେ । ଏଥିସହ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ନବୀନ ପଟ୍ଟନାୟକ ସମ୍ମାନୀତ ହେବା ପରେ ବେଶ ଉତ୍ସାହିତ ବିଜେଡି ଶିବିର ।

ଆଜି ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଆୟୋଜନ କରିଛି ଦଳ । ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଏକ ବିଶାଳ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଶୋଭାଯାତ୍ରାରେ ୩୦ ହଜାର କର୍ମୀ ସାମିଲ ହେବେ ବୋଲି ସୂଚନା ମିଳିଛି । ଗତକାଲି ପୁନେର ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟିରେ ଅଷ୍ଟମ ଭାରତୀୟ ଛାତ୍ର ସଂସଦରେ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ, ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ନବୀନ ଏହି ପୁରସ୍କାର ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମର୍ପିତ କରୁଛନ୍ତି ବୋଲି କହି ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ- ଲୋକଙ୍କୁ ଭଲ ପାଇଲେ ସରକାର ବିରୋଧୀ ହାୱା ରହିନଥାଏ ।

bjp

ସେପଟେ, ମୁଖ୍ୟମନ୍ତ୍ରୀ ଆଦର୍ଶ ପୁରସ୍କାର ପାଇବା ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛି ବିଜେପି । ଏହି ପୁରସ୍କାରକୁ ମହାକାଳ ଫଳ ସହିତ ତୁଳନା କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ବିଜେପିର ଉତଥାନରେ ହତାଶ ହୋଇପଡିଛନ୍ତି ବିଜେଡି କର୍ମୀ । ତେଣୁ ପୁରସ୍କାର ଆଣି ବିଜେଡି କର୍ମୀଙ୍କୁ ଉତ୍ସାହିତ କରନ୍ତୁ ମୁଖ୍ୟମନ୍ତ୍ରୀ । କିନ୍ତୁ ଓଡିଶାର ସ୍ୱାଭିିମାନ ସହିତ ଖେଳିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ସରକାର ଶିଳ୍ପ, ଯୁବକଙ୍କୁ ଚାକିରୀ , ଜଳସେଚନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେପି କହିଛି । ନବୀନ ସରକାର ଓଡିଶା ଲୋକଙ୍କୁ ବହୁତ ଠଳିିଲେଣି, ଲୋକେ ବର୍ଜନ କଲା ବେଳେ ସେମାନେ ଭାବମୂର୍ତୀ ବଢାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆଉ ବିଜ୍ଞାପନ ଦିଅନ୍ତୁ ନାହିଁ । କାରଣ ସେଥିରେ ଗରୀବ ଲୋକଙ୍କ ଟିକସ ଟଙ୍କା ଲାଗିଛି । ମୁଖ୍ୟମନ୍ତ୍ରୀ ସସମ୍ମାନେ ଅବସର ନେଲେ ଓଡିଶାବାସୀମାନେ ରଖିବେ ବୋଲି ବିଜେପି କହିଛି ।