ପେଟ୍ରୋଲରେ ଲାଗିଲା ରାଜନୀତିର ନିଆଁ । ବିଧାନସଭା ଭିତରେ ଓ ବାହାରେ ବିଜେପିକୁ ଘେରିଲା ବିଜେଡି, ସେପଟେ ୧୦ରେ କଂଗ୍ରେସର ଭାରତ ବନ୍ଦ ଡାକରା

34

କନକ ବ୍ୟୁରୋ: ରାଜନୀତିରେ, ନିଆଁ ଲଗାଇଲା ତେଲ । ଆଜି ବିଧାନସଭାକୁ ଉସ୍ମ କରିଛି ତେଲର ତାତି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଶାସକ ଦଳର ସଦସ୍ୟମାନେ ବିଧାନସଭାରେ ବଡ ଧରଣର ହଙ୍ଗାମା କରିଛନ୍ତି । ଅନ୍ୟପଟେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ଏହାର ବିରୋଧ କରାଯାଇଛି । ପେଟ୍ରୋଲ ପମ୍ପ ଗୁଡ଼ିକରେ ବିଜେଡି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି । ଶାସକ ଦଳର ଏଭଳି ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ । କହିଛନ୍ତି ଏହା ଦେବାଳିଆ ମାନସିକତାର ଲକ୍ଷ୍ୟ । ତେଲକୁ ନେଇ ବିଜେଡି ଓ ବିଜେପିର ଏହି ଲଢ଼େଇ ଭିତରେ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଗୃହ ଭିତରେ ଯେଉଁ ତାତି, ଗୃହ ବାହାରେ ସେଇ ଉଷ୍ମତା । କ୍ରମାଗତ ଭାବରେ ବଢ଼ି ଚାଲିଥିବା ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି ଶାସକ ବିଜେଡି । ଆନ୍ତଃଜାତିକ ବଜାରରେ ତେଲ ଦର କମୁଥିବାବେଳେ ଭାରତରେ ପେଟ୍ରୋଲ ଡିଜେଲ ଦରକୁ ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ବୋଲି ଅଭିଯୋଗ କରିଛି ବିଜେଡି । ଗୃହରେ ବିଜେଡି ସଦସ୍ୟମାନେ ତେଲଦର ବୃଦ୍ଧି ପ୍ରତିବାଦରେ ଆଜି ହୋ-ହଲ୍ଲା କରିବା ଯୋଗୁଁ ପ୍ରଭାବିତ ହୋଇଛି ଗୃହ କାର୍ଯ୍ୟ ।

ଏପଟେ ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଜନ ସଚେତନା କାର୍ଯ୍ୟକ୍ରମ କରିଛି ବିଜୁ ଜନତା ଦଳ । ଦିନ ୧୦ଟାରୁ ୧୨ଟା ଦୁଇ ଘଂଟା ଧରି ପ୍ରତିବାଦ କରିବା ସହ ଲିଫଟେଲ୍ ବାଂଟି ଲୋକଙ୍କୁ ସଚେତନ କରିଛି ଦଳ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଆସନ୍ତା ୯ ତାରିଖ ଯାଏଁ ଜାରି ରଖିବ ବିଜେଡି ।

ସେପଟେ, ପେଟ୍ରୋଲ ଡିଜେଲ ଦର ପ୍ରତିବାଦରେ ବିଜେଡିର ଯୁଦ୍ଧଂଦେହୀ ଡାକରାରେ ଚିହଁକି ଉଠିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-ଏହା ବିଜେଡିର ଦେବାଳିଆ ମାନସିକତାର ଲକ୍ଷଣ । ଯାହାର ଜବାବ ରଖିଛି ବିଜୁ ଜନତା ଦଳ ।

ତେବେ ବିଜେଡି ଓ ବିଜେପିର ଏହି ଆରୋପ ପ୍ରତ୍ୟୋରୋପ ଭିତରେ ମୈଦାନକୁ ଓହ୍ଲାଉଛି କଂଗ୍ରେସ । ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ତେଲ ଦର ବୃଦ୍ଧି ପ୍ରତିବାଦରେ ମୋଦି ସରକାରଙ୍କୁ ଘେରିବା ସହ ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛି ଦଳ । ତେଲ ଦରକୁ ନେଇ ଜନତା ଯେତିକି ବିବ୍ରତ, ନେତା ସେତିକି ବ୍ୟସ୍ତ । କାରଣ ଜନତାଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗଙ୍କୁ କୌଣସି ଦଳ ହାତ ଛଡ଼ା କରିବାକୁ ଚାହୁଁ ନାହିଁନ୍ତି ।