ଦେଶରେ ଓଡ଼ିଶା ପୋଲିସ ନମ୍ବର ୱାନ୍ । ସାଧାରଣ ଲୋକଙ୍କ ପାଇଁ ୨୪ ଘଣ୍ଟାରୁ ୧୮ ଘଣ୍ଟା କାମ କରୁଛନ୍ତି ରାଜ୍ୟ ପୋଲିସ ।

3,507

କନକ ବ୍ୟୁରୋ :  ସାଧାରଣରେ ପୋଲିସଙ୍କୁ ନେଇ ଏକ ଭିନ୍ନ ମାନସିକତା ରହିଛି । ପୋଲିସ ସହାୟତା ବଦଳରେ ଶୋଷଣ କରିଥାଏ ବୋଲି ଏକ ଲୋକଙ୍କ ମନରେ ଧାରଣା ରହିଛି । କିନ୍ତୁ ଆପଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ କେତେ ସଚେତନ ? କେବେ ଭାବିଛନ୍ତି କି, ଯଦି ଭାବିନାହାନ୍ତି ଏହି ଖବର ଆପଣଙ୍କୁ ନିଶ୍ଚିତ ଚିନ୍ତା କରିବାକୁ ଖୋରାକ ଯୋଗାଇବ । କାରଣ ଘଣ୍ଟା କଣ୍ଟାର ୨୪ ଘଣ୍ଟା ମଧ୍ୟରୁ ୧୮ ଘଣ୍ଟା ଓଡ଼ିଶା ପୁଲିସ ତତ୍ପର ରହିଥାନ୍ତି ଜ୍ଝ ତେବେ ଏଥିପାଇଁ କିନ୍ତୁ ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଓଭରଟାଇମର ଅର୍ଥ ମିଳିପାରୁନାହିଁ । ଏକଥା ଆମେ କହୁନୁ ବରଂ ସେଣ୍ଟର ଫର ଦ ଷ୍ଟଡି ଅଫ ଡେଭଲପିଙ୍ଗ ସୋସାଇଟି ପକ୍ଷରୁ ପ୍ରସ୍ତୁତ ଷ୍ଟାଟସ ଅଫ ପୋଲିସିଂ ଇନ ଇଣ୍ଡିଆ ରିପୋର୍ଟ-୨୦୧୯ରେ ପ୍ରକାଶିତ ହୋଇଥିବା ତଥ୍ୟ ଏହା ଦର୍ଶାଉଛି।

ରିପୋର୍ଟ ମୁତାବକ ଦେଶର ଅନ୍ୟ ସବୁ ରାଜ୍ୟର ପୁଲିସଙ୍କ ଅପେକ୍ଷା ଓଡିଶା ପୁଲିସ ସର୍ବାଧିକ ୧୮ ଘଣ୍ଟା କାମ କରିଥାନ୍ତି । ଓଡ଼ିଶାର ୬୦ ପ୍ରତିଶତରୁ ଅଧିକ ପୁଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ସମୟ କାମ କରୁଥିବାବେଳେ ୨୨ ପ୍ରତିଶତ ପୁଲିସ କର୍ମଚାରୀ ୧୩ ଘଣ୍ଟା କାମ କରିଥାନ୍ତି । ମାତ୍ର ୪ ପ୍ରତିଶତ ପୁଲିସ କର୍ମଚାରୀ ୮ ଘଣ୍ଟା କାର୍ଯ୍ୟ କରିଥାନ୍ତି । ତେବେ ମଡେଲ ପୁଲିସ ଆକ୍ଟ-୨୦୧୬ରେ ୮ ଘଣ୍ଟାର ସମୟ ସୀମା ଧାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାରେ ଅର୍ଦ୍ଧାଧିକ ପୁଲି କର୍ମଚାରୀ କିନ୍ତୁ ଏହି ନିୟମଠାରୁ ବହୁ ଦୂରରେ । ଏହି ଏନଜିଓ ପକ୍ଷରୁ ହୋଇଥିବା ଏହି ସର୍ଭେରେ ଦାବି କରାଯାଇଛି ଯେ ୯୪ ପ୍ରତିଶତ ପୁଲିସ କର୍ମଚାରୀ ସେମାନଙ୍କ ସାପ୍ତାହିକ ଛୁଟି ପାଆନ୍ତି ନାହିଁ ।

ସେହିପରି କାର୍ଯ୍ୟଭାର ଅଧିକ ଯୋଗୁଁ ୮୦ ପ୍ରତିଶତ ମହିଳା ପୁଲିସ କାର୍ଯ୍ୟ ସମୟ ସାରିବା ପରେ ବି ସେଠାରେ ରହିବାକୁ ପଡିଥାଏ । ଚର୍ଚ୍ଚା ହେଉଛି ଓଡ଼ିଶାରେ ଏଭଳି ସ୍ଥିତି ଉତ୍ପନ୍ନ ହେବା ପଛରେ ବଡ କାରଣ ହେଉଛି ପୁଲିସଙ୍କ ସଂଖ୍ୟା କମ ରହିଛି । ରାଜ୍ୟରେ ୭୩୪୨୪ ଜଣ ପୁଲିସ କର୍ମୀଙ୍କ ଆବଶ୍ୟକତା ଥିବାବେଳେ ୮୪ ପ୍ରତିଶତ ହିଁ ପୂରା ହୋଇପାରିଛି ।  ୩୦ ପ୍ରତିଶତ ପୁଲିସ ଅଧିକାରୀଙ୍କ କ୍ଷେତ୍ରରେ କମ ରହିଛି । ତେବେ ଏହି ଅଧିକାରୀଙ୍କ ତାଲିକାରେ ଇନ୍ସପେକ୍ଟର, ସବଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଆସୁଛନ୍ତି ।

ତଥ୍ୟ ସୂଚନା ଦେଇଛି ଯେ ୮୦ ପ୍ରତିଶତ ପୁଲିସ କହିଛନ୍ତି ଯେ ଅଧିକ କାମ ତଦନ୍ତର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ସେହିପରି ୯୭ ପ୍ରତିଶତ ପୁଲିସ କହନ୍ତି ଯେ ପରିବାର ସହ ସେମାନେ ସମୟ କଟାଇପାରୁନାହାନ୍ତି ।  ୮୯ ପ୍ରତିଶତ ପୁଲିସ କୁହନ୍ତି ଯେ ଏଭଳି ଅତ୍ୟଧିକ କାମ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଉଛି । ଓଡ଼ିଶା ତଳକୁ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପଞ୍ଜାବ ପୋଲିସ ରହିଛି । ପଞ୍ଜାବ ପୋଲିସ ୨୪ ଘଣ୍ଟାରୁ ୧୭ ଘଣ୍ଟା କାମ କରୁଥିବା ଜଣାପଡିଛି ।