ପୋଲିସ ହେଲା ତୟାର , ଗିରଫ ହେବେ ଆୟାର !

55

କନକ ବ୍ୟୁରୋ : କୋଣାର୍କ ମନ୍ଦିର ଓ ଓଡିଶା ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାରଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ । ଯେତେବେଳେ କୋଣାର୍କ ପୋଲିସ ଥାନାରେ ଅଭିଜିତ ଆୟାର ହାଜର ହେବେ ଠିକ୍ ସେହି ସମୟରେ ତାଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଓଡିଶା ପୋଲିସ । ଆୟାରଙ୍କୁ ଗିରଫ କରିବା ପୂର୍ବରୁ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତି ନେଇଛି ପୋଲିସ ।

ଆୟାରଙ୍କୁ ଗିରଫ କରିବା ପୂର୍ବରୁ ଜେଲ ବିଭାଗର ଏଡିଜି ପୋଲିସ ଡିଜି, ଆଇଜି ଓ ପୁରୀ ଏସପିଙ୍କୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଉକ୍ତ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ଚିଠି ଲେଖିଛନ୍ତି । କାରଣ ଆୟାରଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେଇପାରେ ପୋଲିସ । ଯେହେତୁ ଆୟାରଙ୍କୁ ନେଇ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ରହିଛି ତେଣୁ କୌଣସି ଅଘଟଣ ଏଡାଇବାକୁ ଏଭଳି ନିଷ୍ପତି ପୋଲିସ ପକ୍ଷରୁ କରାଯିବ ।

ଏହାଛଡା ଅଭିଜିତ ଆୟାରଙ୍କ ଗିରଫ ଠାରୁ ଆରମ୍ଭ କରି ରିମାଣ୍ଡରେ ନେବା ପର୍ଯ୍ୟନ୍ତ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯିବ । ଏହାଛଡା ଆୟାର ଗିରଫ ସମୟରେ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ । ଯେଉଁମାନଙ୍କୁ ପୁରୀ ଏସପିଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି ।

କୋଣାର୍କ ସଂପର୍କରେ ଅଭିଜିତ ରଖିଥିବା ମନ୍ତବ୍ୟକୁ ନେଇ ଗତକାଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅଭିଜିତଙ୍କ ବୟାନ ଧର୍ମୀୟ ଭାବନାକୁ ଉସୁକାଇଛି ଏବଂ ଜାମିନ୍ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ କହିଛନ୍ତି-ଯଦି ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି, ତାହେଲେ ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ । ଏପଟେ ଆସନ୍ତାକାଲି ଅଭିଜିତଙ୍କୁ ପୁରୀ ସଦର ଥାନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହସମଜା ଆଳରେ କୋଟି କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଏବଂ ଐତିହ୍ୟ କିର୍ତୀରାଜିର ଭର୍ସନା କରିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି । ବେଲ୍ ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଅଭିଜିତଙ୍କୁ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କ ପାଇଁ ଖୋଲି ଯାଇଛି ଜେଲଦ୍ୱାର । ଶୁକ୍ରବାର ସୁଦ୍ଧା ପୁରୀସଦର ଥାନାରେ ଆତ୍ମସମର୍ପଣ ନକଲେ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି ।

ମାମଲାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି-
-ଅଭିଜିତ ଆୟାର ଧର୍ମୀୟ ଭାବନାକୁ ଉସୁକାଇଛନ୍ତି
-ବେଲ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ, କାହିଁକି ବେଲ ଦିଆ ଯିବ ?

ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଅଭିଜିତ ଆୟାରଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ ତାଙ୍କ ଓକିଲ । ଆଉ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି ।
– ଯଦି ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି, ତାହେଲେ ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ ।

କୋଣାର୍କ ମନ୍ଦିର ସଂପର୍କରେ ଏକ ଅଶାଳୀନ ମତ ଥିବା ଭିଡିଓ ପୋଷ୍ଟ କରିଥିଲେ ଅଭିଜିତ୍ । ଯାହାକୁ ଟ୍ୱିଟରରେ ପୋଷ୍ଟ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଭିଡିଓଟି ଧର୍ମୀୟ ଭାବନାକୁ ଆଘାତ ଦେବା ସହ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗରେ ଗତ ୨୦ ତାରିଖରେ ଦିଲ୍ଲୀ ନିରାମୁଦ୍ଦିନ୍ ଅଂଚଳରୁ ଅଭିଜିତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ୍ । ହେଲେ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ସେପଟେମ୍ବର ୨୮ ତାରିଖରେ କୋଣାର୍କ ଥାନାରେ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅଭିଜିତ୍ ଥାନାରେ ହାଜର ହୋଇନଥିଲେ ।