ଦିଲ୍ଲୀରେ ଓଡ଼ିଶା ପୁଲିସ ! କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାରଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀରେ ପହଂଚିଛି ଓଡିଶା ପୁଲିସ୍

34

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ଲାଗି ଗତକାଲିଠାରୁ ଦିଲ୍ଲୀରେ ଓଡ଼ିଶାର ୪ ଜଣିଆ ପୁଲିସ ଟିମ୍ ପହଞ୍ଚିଛି। ଏସଟିଏଫ୍ ଏସପି ସତ୍ୟଜିତ୍ ନାୟକ ଏହି ଟିମର ନେତୃତ୍ବ ନେଉଛନ୍ତି।

ସୂତ୍ର ଅନୁସାରେ ଅଭିଜିତଙ୍କୁ ଗିରଫ ପାଇଁ ଏହି ଟିମ୍ ଦିଲ୍ଲୀ ପୁଲିସ ସହାୟତାରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଥିବା ଜଣାପଡ଼ିଛି। ଜଙ୍ଗପୁରା ଏକ୍ସଟେନସନସ୍ଥିତ ତାଙ୍କ କାର୍ଯ୍ୟାଳୟ, ନେହରୁ ପ୍ୟାଲେସ୍ ଏବଂ ତାଙ୍କ ବାସଭବନ ସଫଦରଜଙ୍ଗ ଏନକ୍ଲେଭ୍କୁ ଯାଇ ସେଠାରେ ପୁଲିସ ଅଭିଜିତଙ୍କ ସଂପର୍କରେ ପଚରାଉଚରା କରିଛି।

କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇନାହିଁ। ଅଭିଜିତଙ୍କ ସଂପର୍କରେ ପୁଲିସକୁ କୌଣସି ଠୋସ୍ ସୂଚନା ମିଳିନଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ତାଙ୍କ ମୋବାଇଲ୍ ଫୋନକୁ ଟ୍ରାକିଂ କରୁଛି। ଖୁବଶୀଘ୍ର ତାଙ୍କୁ ଗିରଫ କରିବ ବୋଲି ପୁଲିସ ଆଶା ରଖିଛି।