ନକଲି ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନ ପାଇଁ ବିଜେପି ବିରୋଧରେ ମାମଲା ରୁଜୁ କଲା ଓଡିଶା ପୋଲିସ ! ବିଜେଡି କହିଲା, ଭୟଭୀତ ହୋଇପଡିଛନ୍ତି ବିରୋଧୀ । 

614

କନକ ବ୍ୟୁରୋ : ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ଗୁଇନ୍ଦା କଣ ରିପୋର୍ଟ ଦେଇଛି । ତାହା ପାର୍ଟିର ହସ୍ତଗତ ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଏହି ରିପୋର୍ଟରେ ଓଡ଼ିଶା ପୁଲିସର ସିଲ୍ ରହିଛି । ଏକ ଦସ୍ତଖତ ରହିଛି ଯେଉଁଥିରେ କୁହାଯାଇଛି, ଗଂଜାମ ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିିତିଭୂମିର ବିକାଶ ହୋଇପାରି ନାହିଁ ।

ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏଠୁ ଲଢ଼ିବା ଉଚିତ ନୁହେଁ । ରିପୋର୍ଟକୁ ଦେଖିଲେ ଆପଣ ହୁଏତ ସତ ଭାବି ପାରନ୍ତି । କିନ୍ତୁ ଏହା ପରେ ପରେ ଆଉ ଏକ ଘଟଣା ଘଟିଛି । ଡିଜି ପୁଲିସ୍ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି ବୋଲି ଘୋଷଣା କରିଛନ୍ତି । ଏକ ମିଛ ଦସ୍ତାବିଜ ଆଧାରରେ ରାଜନୈତିକ ଦଳ ପକ୍ଷରୁ ଏହିଭଳି ପ୍ରଚାର କରାଯାଉଛି ବୋଲି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଗୋଟିଏ ମିଛ ଦସ୍ତାବିଜକୁ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଛି ଯେଉଁଥିରେ ସତ୍ୟତା ନାହିଁ ବୋଲି ଡିଜି କହିଛନ୍ତି ।

ସେପଟେ ଏହି ଘଟଣାରେ ଜବାବ ରଖିଛି ବିଜୁ ଜନତା ଦଳ । ବିଜେପି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୟଭୀତ ହୋଇ ପଡିଛି ବିଜେପି । ଯେଉଁଥିପାଇଁ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ମିଥ୍ୟା ଦସ୍ତାବିଜ୍ ପରିବେଷଣ କରୁଛି ବିଜେପି । ସେପଟେ ବିଜେପି ସ୍ୱରରେ କଂଗ୍ରେସ ତାଳ ମିଳାଇବାକୁ ନେଇ ଦୁଇ ଦଳ ହୀନ ରାଜନୀତି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ଓଡିଶାବାସୀ ଠିକ୍ ସମୟରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।