କନକ ବ୍ୟୁରୋ : ବିଚାରପତିଙ୍କ ଘରେ ସିବିଆଇ ଅଧିକାରୀମାନେ ରାତି ଅଧରେ ଅନଧିକାର ପ୍ରବେଶ କରିବା ମାମଲା, ଗମ୍ଭୀର ହେବାରେ ଲାଗିଛି । ଓଡ଼ିଶା ପୁଲିସ, ସିବିଆଇ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ କ୍ରିମିନାଲ ଟ୍ରେସପାସିଂ ଅର୍ଥାତ୍ ଅପରାଧିକ ଅନୁପ୍ରବେଶ ଦଫାରେ ମାମଲା ରୁଜୁ କରିଛି । ଅର୍ଥାତ୍ ବର୍ତ୍ତମାନର ପରିସ୍ଥିତି ଓଡ଼ିଶା ପୁଲିସ ବନାମ ସିବିଆଇରେ ପରିଣତ ହୋଇଛି । ଏହି ମାମଲା ଆଧାରରେ ଓଡ଼ିଶା ପୁଲିସ, ସେହି ସିବିଆଇ ଅଧିକାରୀଙ୍କୁ ଅଭିଯୁକ୍ତ ଭାବରେ ଗ୍ରହଣ କରିବ ।

ମାତ୍ର ଗୋଟିଏ ଦିନ ପୂର୍ବରୁ, ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରାଜନୈତିକ ଆକ୍ରୋଶରେ ସିବିଆଇ ଗିରଫ କରିଛି ବୋଲି ଅଭିଯୋଗ ହେବା ପରେ ଏହି ଘଟଣା ସିବିଆଇକୁ ପୁଣି ହରଡଘଣାରେ ପକାଇଦେଇଛି । ପୁଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି-ନିୟମାବଳୀର ଉଲଂଘନ କରି ସିବିଆଇ ଅଧିକାରୀମାନେ ବିଚାରପତିଙ୍କ ଘରେ ପ୍ରବେଶ କରିଛନ୍ତି । ଏନେଇ କଟକର କ୍ୟାଣ୍ଟନମେଂଟ୍ ଥାନରେ ମାମଲା ରୁଜୁ କରାଯାଇଛି ।

ସିବିଆଇ ଇନ୍ସପେକ୍ଟର ପିକେ ମିଶ୍ର ଏବଂ ତାଙ୍କ ଟିମ୍ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଆଇପିସିର ଦଫା ୪୪୦, ୩୫୩, ୫୧୧ ଓ ୩୪ ଧାରାରେ ମାମଲା ରୁଜୁ କରିଛି କମିଶନରେଟ୍ ପୁଲିସ । ଏଥି ସହ ଅପରାଧିକ ଷଡଯନ୍ତ୍ର ଅର୍ଥାତ୍ ୧୨୦-ବି ଦଫାରେ ମାମଲା ରୁଜୁ କରିଛି । ଜଷ୍ଟିସ୍ ଚିତରଂଜନ ଦାସଙ୍କ ବାସଭବନରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ବୟାନ ଅଧାରରେ ଏହି ମାମଲା ରୁଜୁ ହୋଇଛି ।

ଜଷ୍ଟିସ ଆଇଏମ୍ କୁଦ୍ଦୁସିଙ୍କୁ ଖୋଜିବାକୁ ଯାଇ, ସିବିଆଇର ଅଧିକାରୀମାନେ ଗତକାଲି ରାତି ପ୍ରାୟ ୨ଟାରେ ବିଚାରପତି, ଚିତରଂଜନ ଦାସଙ୍କ ଘରେ ପ୍ରବେଶ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୦୯ ନଭେମ୍ବର ୧୩ ତାରିଖରୁ ଓଡିଶା ହାଇକୋର୍ଟ ଛାଡି ସାରିଛନ୍ତି ଜଷ୍ଟିସ୍ କୁଦ୍ଦୁସି । ତେଣୁ ୫ ବର୍ଷ ପୂର୍ବରୁ ଛତିଶଗଡ ହାଇକୋର୍ଟକୁ ଯାଇଥିବା ଜଷ୍ଟିସ୍ କୁଦ୍ଦୁସିଙ୍କୁ କେମିତି କଟକରେ ଖୋଜୁଥିଲା ସିବିଆଇ ।

ଓଡିଶା ପୁଲିସ୍ ଓ ସିବିଆଇର ଏହି ଛକାପଞ୍ଜା ଭିତରେ ଏବେ ପ୍ରଶ୍ନ ଉଠୁଛି —
–  ଓଡିଶା ପୁଲିସ କରିପାରିବ କି ସିବିଆଇ କୁ ଜେରା?
–  ସିବିଆଇ ଅଧିକାରୀଙ୍କୁ କେମିତି ହେବ ପଚରା ଉଚରା?
–  ଓଡିଶା ପୁଲିସର ଉପରିସ୍ଥ ଅଧିକାରୀ କରିବେ କି ପଚରାଉଚରା?
–  କେଉଁ ସ୍ତରର ଅଧିକାରୀ କରିବେ ପଚରାଉଚରା?
–  ସିବିଆଇ ଅଧିକାରୀଙ୍କୁ ଗିରଫ କରି ପାରିବ କି ଓଡିଶା ପୁଲିସ୍?

ଅନ୍ୟପଟେ ବିଚାରପତିଙ୍କ ଘରେ ସିବିଆଇ ପ୍ରବେଶକୁ ନେଇ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆସନ୍ତାକାଲି ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି । ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ସିବିଆଇ କହିଛି, ବିଚାରପତିଙ୍କ ଘରେ ପ୍ରବେଶ କରିବା କଥା ଏକ ଗୁଜବ ଏବଂ ଭିତିହୀନ । ସେପଟେ ଆଉ ଏକ ଘଟଣା କ୍ରମରେ ଜଷ୍ଟି ଆଇ. ଏମ.କୁଦ୍ଦୁସିଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରିଛି ସିବିଆଇ ।