ସ୍ୱାଭିମାନ ଅଞ୍ଚଳ ବୁଲି କୋରାପୁଟ ଗସ୍ତରେ ଡିଜିପି ଅଭୟ । ଏସଓଜି ହବ ପରିଦର୍ଶନ ସହ ପୋଲିସର କାର୍ଯ୍ୟଶୈଳୀ ନେଇ କଲେ ସମୀକ୍ଷା

120

କନକ ବ୍ୟୁରୋ: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ଆଜି କୋରାପୁଟ ଗସ୍ତ କରି ଏସଓଜି ହବ ପରିଦର୍ଶନ କରିଛନ୍ତି। ସେ ଏଠାରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ । ଏସଓଜି ଯବାନଙ୍କ ତାଲିମ କାର୍ଯ୍ୟକ୍ରମ କେମିତି ଚାଲିଛି, ସେ ନେଇ ସମୀକ୍ଷା କରିଥିଲେ। ଏଥି ସହ ଡିଜି ଶ୍ରୀ ଅଭୟ ଅଧିକାରୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ। ଏସଓଜି ହବ ପରିଦର୍ଶନ ପରେ ଡିଜି ‘ଓଏସଏପି’ର ତୃତୀୟ ବାଟାଲିଅନକୁ ଯାଇଥିଲେ। ସେଠାରେ ସେ କମାଣ୍ଡୋଙ୍କ ସହ କଥାବାର୍ତ୍ତା କରଥିଲେ।

କୋରାପୁଟ ଜିଲ୍ଲା ପୁଲିସର କାର୍ଯ୍ୟକ୍ରମ ନେଇ ପୁଲିସ ଡିଜି ସମୀକ୍ଷା କରିଥିଲେ। ବିଶେଷ କରି ବିଭିନ୍ନ ମାମଲାରେ ତଦନ୍ତକୁ କେମିତି ଅଧିକ ଶାଣିତ କରାଯାଇ ପାରିବ ଓ ଅପରାଧ ନିୟନ୍ତ୍ରଣ ହୋଇ ପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ମାଓ କାର୍ଯ୍ୟକଳାପ କମିଥିଲା ବେଳେ ମାଓ ଗତିବିଧି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ପୁଲିସ ପାଖରେ ଥିବା ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରି ଲୋକମାନଙ୍କୁ ସୁରକ୍ଷା ଦେବାକୁ ପୁଲିସ ଡିଜି କୋରାପୁଟ ରେଂଜ ଡିଆଇଜି ସେଫିନ ଅହମ୍ମଦ କେ. ଓ ଏସପି ମୁକେଶ କୁମାର ଭାମୁଙ୍କୁ କହିଥିଲେ। କୋରାପୁଟ ପୁଲିସର ବିଭିନ୍ନ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲା ବେଳେ ମାଓ ଦମନ କ୍ଷେତ୍ରରେ ସଫଳତାକୁ ତାରିଫ କରିଥିଲେ। ଜିଲ୍ଲାକୁ ମାଓ ମୁକ୍ତ କରିବା ସହ ଚୋରା ଗଂଜେଇ ବ୍ୟବସାୟରେ ରୋକ ଓ ଅପରାଧ ଦମନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଡିଜି ଭାବେ ପଦଭାର ଗ୍ରହଣ କରିବା ପରେ ଅଭୟଙ୍କ ଏହା ଥିଲା ପ୍ରଥମ କୋରାପୁଟ ଗସ୍ତ। ଡିଜିଙ୍କ ଏହି ଗସ୍ତରେ ଆଡିସନାଲ ଡିଜି ସତ୍ୟଜିତ ମହାନ୍ତି, ଆଡିସନାଲ ଡିଜି (ମୁଖ୍ୟାଳୟ) ବିନୟ ତୋଷ ମିଶ୍ର, ଇଣ୍ଟଲେଜିଏନ୍ସ ଡାଇରେକ୍ଟର (ସ୍ପେଶାଲ) ରାଧାକୃଷ୍ଣ ଶର୍ମା, ଆଇଜି ରେଖା ଲୋହାନି, ଆଇଜି (ଅପରେସନ) ଅମିତାଭ ଠାକୁର ଏବଂ ଡିଆଇଜି (ଏସଆଇଡବ୍ଲୁ) ଅନିରୁଦ୍ଧ ସିଂ ସାମିଲ ଥିଲେ।

ଡିଜିପି ଶ୍ରୀ ଅଭୟ ଗତକାଲି ମାଲକାନିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ କିଭଳି ମାଓ ଦମନ ହୋଇପାରିବ ଓ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକୁ କିଭଳି ତ୍ୱରାନ୍ଵିତ କରାଯାଇ ପାରିବ ସେ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଡିଜି ମାଓ ଦମନ ରଣନୀତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ପୁଲିସର କିଭଳି ସମନ୍ଵୟ ରହିବ ସେଥିପାଇଁ ବିଏସଏଫ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ।