କଂଗ୍ରେସର ଟିକେଟ୍ କସରତ । ନିରଞ୍ଜନ କହିଲେ ଟିକେଟ ମିଳିବାର ଫର୍ମୁଲା

33

କନକ ବ୍ୟୁରୋ: ୨୦୧୯ ପାଇଁ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି (ପିଇସି)ର ଶେଷ ବୈଠକ । କଂଗ୍ରେସ ଭବନରେ ଚାଲିଛି ଟିକେଟ ବଣ୍ଟନ ପ୍ରକ୍ରିୟାର କସରତ । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଛି । ୧୫ ହଜାରରୁ କମ୍ ଭୋଟ୍ରେ ହାରିଥିବା ବିଧାୟକମାନଙ୍କ ସହ ଏହି ବୈଠକରେ ଆଲୋଚନା କରିଛନ୍ତି ପିଇସି କମିଟି । ଗତ ନିର୍ବାଚନରେ ପରାଜିତ ହୋଇଥିବା ଏପରି ପ୍ରାୟ ୨୫ ଜଣ ପ୍ରାର୍ଥୀ ଏହି ବୈଠକରେ ଯୋଗ ଦେଇଛନ୍ତି । ତେବେ ସେମାନଙ୍କ ତୃଣମୂଳସ୍ତରରେ କିଭଳି ରହିଛି ସାଂଗଠନିକ ସ୍ଥିତି ତାହାକୁ ନେଇ ଦଳୀୟ ନେତୃବୃନ୍ଦ ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ମୁତାବକ ଯେଉଁ ପ୍ରାର୍ଥୀ ୨୦୧୪ ସାଧାରଣ ନିର୍ବାଚନରେ ହାରିଥିବେ ଯଦି ସେମାନଙ୍କର ସାଙ୍ଗଠନିକ ସ୍ଥିତି ଦୃଢ ଥିବ ତେବେ ସେମାନଙ୍କୁ ଟିକେଟ୍ ଦିଆଯାଇପାରେ । ଗୋଟିଏ ପରିବାରରୁ ଏକାଧିକ ଟିକେଟ୍ ଦିଆଯିବ । ଯେଉଁ ପରିବାର ରାଜନୀତିରେ ସଂପୃକ୍ତ ସେମାନେ ଟିକେଟ ପାଇବେ । ଯେଉଁମାନେ ଗତ ନିର୍ବାଚନରେ ଅମାନତ ହରାଇଥିବେ ସେମାନଙ୍କ କଥା ବିଚାର କରାଯିବ ନାହିଁ । ସେହିପରି ପିସିସି କାର୍ଯ୍ୟାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ୨୦୧୪ ନିର୍ବାଚନ ଭାରତ ଏବଂ କଂଗ୍ରେସ ପାଇଁ ଏକ ଖରାପ ସମୟ ଥିଲା । ସେଭଳି ସ୍ଥିତିରେ କଂଗ୍ରେସର ହାତ ଧରି ଯିଏ ଆଜି ପର୍ଯ୍ୟନ୍ତ ଦଳ ସହିତ ରହିଛି ସେମାନଙ୍କୁ ଦଳ ଟିକେଟ ଦେବା ନେଇ ପ୍ରାଧାନ୍ୟ ଦେବା ପାଇଁ ବିଚାର ବିମର୍ଶ ଚାଲିଛି । ସେହିଭଳି ୨୦୧୪ ପରଠାରୁ ୨୦୧୯ ମଧ୍ୟରେ ନିର୍ବାଚନୀ ପାଣିପାଗ ଅନେକ ବଦଳିଛି । ବିଶେଷ କରି ଶାସକ ଦଳ ସମ୍ମୁଖରେ ବିଜେପି ଏବେ ପ୍ରମୂଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ତେଣୁ ବର୍ତ୍ତମାନ ତୃଣମୂଳସ୍ତରରେ ଉଭୟଙ୍କ ସ୍ଥିତି କ’ଣ ରହିଛି ଏବଂ ଆମ ଦଳର ସ୍ଥିତି କ’ଣ ରହିଛି ତାକୁ ତର୍ଜମା କରାଯାଉଛି । ଏସବୁ ମଧ୍ୟାର ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ଅନ୍ୟପଟେ ଯେଉଁ ପ୍ରାର୍ଥୀ କମ ବ୍ୟବଧାନରେ ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବେ ତାଙ୍କୁ ଗୁରୁତ୍ୱ ଦେଲେ ସେମାନେ କଡା ଟକ୍କର ଦେଇ ପାରିବେ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ । ତେବେ ଗତବର୍ଷ ପରାଜିତ ହୋଇଥିବା ୨୫ ଜଣ ପ୍ରାର୍ଥୀଙ୍କ ସହିତ ଏହି ବୈଠକରେ ଆଲୋଚନା ହୋଇଛି । ତେବେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ୫୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ପିଇସି କମିଟି ।