ବଦ୍ରିଙ୍କ ଚ୍ୟାଲେଞ୍ଜ, ଗ୍ରହଣ କଲେ ନିରଞ୍ଜନ । କହିଲେ, ଦଳ ଚାହିଁଲେ ଘସିପୁରାରେ ବଦ୍ରିଙ୍କ ବିରୋଧରେ ଲଢ଼ିବି ନିର୍ବାଚନ ।

382

କନକ ବ୍ୟୁରୋ: ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଘସିପୁରାରୁ ନିର୍ବାଚନ ଲଢ଼ିବା ନେଇ ବଦ୍ରି ଚ୍ୟାଲେଞ୍ଜ ଦେବାପରେ ନିରଞ୍ଜନ କହିଛନ୍ତି ଯେ, ଦଳ ଚାହିଁଲେ ଘସିପୁରାରୁ ମଧ୍ୟ ଲଢ଼ିବି । ଏପରିକି ବଦ୍ରିଙ୍କୁ କଡ଼ା ଜବାବ୍ ଦେଇ କହିଛନ୍ତି କି, ବଦ୍ରିବାବୁଙ୍କ ଦମ୍ ଓ ଦକ୍ଷତା ବିଷୟରେ ସାଧାରଣ ଜନତାଙ୍କୁ ଜଣା । ହଣାକଟା, ମାରପିଟ୍ ଗୁଣ୍ଡାଗର୍ଦ୍ଦି ଭଳି ଦମ୍ ବଦ୍ରି ବାବୁଙ୍କ ପାଖରେ ରହିଛି ଯାହା ମୋ ପାଖରେ ନାହିଁ ବୋଲି କହିଛନ୍ତି ନିରଞ୍ଜନ ।

ଅନ୍ୟପଟେ ୨୦୦୯ ପରଠାରୁ ଘସିପୁରାରୁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲି କିନ୍ତୁ ଯଦି ବଦ୍ରିଙ୍କ ବିପକ୍ଷରେ ଦଳ ପ୍ରାର୍ଥୀ କରିବ ତାହାହେଲେ ନିଶ୍ଚୟ ଲଢ଼ିବି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପିସିସି ସଭାପତି । ଘସିପୁରା ମୋ ନିର୍ବାଚନ ମଣ୍ଡଳୀ ତେଣୁ ଚଳିତ ଥର ଦଳ ଚାହିଁଲେ ସେଠାରୁ ପ୍ରାର୍ଥୀ ହେବି । କିନ୍ତୁ ଭଣ୍ଡାରୀପୋଖରୀରୁ ଏଥର ଲଢ଼ିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଆସ୍ଥା ପ୍ରକଟ କରିଛନ୍ତି ତେଣୁ ସେମାନଙ୍କ ଭରସା ମଧ୍ୟ ଭାଙ୍ଗି ପାରିବି ନାହିଁ । ଦୁଇଟି ସ୍ଥାନରୁ ଲଢ଼ିବା ନଲଢ଼ିବା ଏଆଇସିସିଙ୍କ ଉପରେ ନିର୍ଭର କରେ ।

କେନ୍ଦୁଝର ରାଜନୀତିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ବିଜେଡି ନେତା ତଥା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ମଧ୍ୟରେ ସର୍ବଦା ଛକାପଞ୍ଝା ଲାଗି ରହିଥାଏ । ଦୁହେଁ ଦୁହିଁକୁ ଚେକ୍ ଦେବା ପାଇଁ ସୁଯୋଗ ଖୋଜୁଥାନ୍ତି । ସୂଚନାନୁସାରେ, ଗତ କିଛିଦିନ ତଳେ ଆନନ୍ଦପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପରେ ଏହି ବିବାଦ ଆହୁରି ଘନେଇଛି । ଏହି ହତ୍ୟାକାଣ୍ଡରେ ବଦ୍ରିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଯାହାପରେ ବଦ୍ରି ଏହାର ପ୍ରତିକ୍ରିୟା ଦେବା ସହ ନିରଂଜନଙ୍କୁ ସମାଲୋଚନା କରିଥିଲେ । ଏପରିକି ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ନିରଂଜନଙ୍କୁ ଆହ୍ୱାନ କରିଥିଲେ । ନିରଂଜନ ମଧ୍ୟ ଏହି ଆହ୍ୱାନକୁ ସ୍ୱୀକାର କରିଥିବା କହିଛନ୍ତି । ତେବେ ଯଦି ପିସିସି ସଭାପତି ଏଠାରୁ ବଦ୍ରିଙ୍କ ବିପକ୍ଷରେ ପ୍ରାର୍ଥୀ ହୁଅନ୍ତି ତେବେ ଏକ ବିଗ୍ ଫାଇଟ୍ ହୋଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।