ରାଜଧାନୀରେ ଉପନିର୍ବାଚନ ତାତି: ଆଜି ନବୀନ ନିବାସରେ ବସୁଛି ବିଜେଡିର ଶୀର୍ଷ ନେତୃତ୍ବଙ୍କ ବୈଠକ; ଚୁଡ଼ାନ୍ତ ହୋଇପାରେ ବିଜେପୁର ବିଜେଡି ପ୍ରାର୍ଥୀଙ୍କ ନାଁ

୨୪ରେ ବସିବ କଂଗ୍ରେସ କୋର କମିଟି

221

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣାର ପରେ ବିଜେପୁର ପାଇଁ ପାଗ ଭିଡୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆଜି ନବୀନ ନିବାସରେ ବସୁଛି ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଜେଡି ସମନ୍ୱୟ କମିଟି, ବିଜେପୁରର ତୃଣମୂଳ ସ୍ତରରୁ ଆସିଥିବା ରିପୋର୍ଟକୁ ଦଳୀୟ ସୁପ୍ରିମୋଙ୍କୁ ଦେବେ । ବରିଷ୍ଠ ନେତା ସଂଜୟ ଦାସବର୍ମା, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଏବଂ କଳିକେଶ ସିଂଦେଓଙ୍କୁ ନେଇ ଗଠିତ ଏହି ୪ ଜଣିଆ ଟିମ୍ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ତାଙ୍କର ରିପୋର୍ଟ ରଖିବେ । ଏହାପରେ ବିଜେପୁର ପାଇଁ ବିଜେଡିର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ସେହିପରି ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଜୋର ଧରିବ ବିଜେପୁର ନିର୍ବାଚନ ତାତି ।

ଶନିବାର ଉପ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପୁର ବିଧାନସଭା ଆସନକୁ ନେଇ ରାଜଧାନୀରେ ରାଜନୀତି ତାତି ବଢିଲାଣି। ବିଜେଡି ଦାବି କରିଛି ଯେ ଯେତିକି ଭୋଟ ବ୍ୟବଧାନରେ ଦଳ ଗତ ଥର ଉପନିର୍ବାଚନରେ ଜିତିଥିଲା, ଏବେ ପାଖାପାଖି ସେତିକି ବ୍ୟବଧାନକୁ ଲକ୍ଷ୍ୟ ରଖି ନିର୍ବାଚନୀ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ପରେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ। ଅନ୍ୟପକ୍ଷରେ ବିଜେପି ସଭାପତି ବସନ୍ତ ପଣ୍ଡା ବିଜେପୁର ଲଢେଇ ପାଇଁ ମଧ୍ୟ ହୁଂକାର ଦେଇଛନ୍ତି। ସେ କହିଛନ୍ତି, କାହା ସହ କାହାର ବନ୍ଧୁତ୍ବ ଥାଇପାରେ। କିନ୍ତୁ ଦଳ ସ୍ବାର୍ଥ ପାଇଁ ସାଲିସ କରାଯିବନାହିଁ। ଆଉ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିପର୍ଯ୍ୟୟ ପରେ ବିଜୟ ନିଶ୍ଚିତ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି, ବିଜେପୁର ଆସନ ‘ହାତ’କୁ ଫେରିବ।

ତିନି ପ୍ରମୁଖ ରାଜନୈତିକ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଆଭ୍ୟନ୍ତରୀଣ ରାଜନୀତି ଯେମିତି ଉଷ୍ମ ହେବାରେ ଲାଗିଛି, ବିଜେପୁରକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ସେମିତି ତର୍ଜମା ଆରମ୍ଭ ହୋଇଗଲାଣି। ୨୦୧୮ ଉପନିର୍ବାଚନ ସଫଳତା ବିଜେଡି ଏଥର ଦୋହରାଇ ପାରିବ ନା ନାହିଁ? ଭୋଟ ବ୍ୟବଧାନ କମିବ ନା ବଢିବ? ବିଜେପି ଲୋକସଭା ଆସନ ଭଳି ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନରେ ବାଜିମାତ୍ କରିବ କି? ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସର ପଦୋନ୍ନତି ହେବ କି? ଏମିତି ପୁଳା ପୁଳା ପ୍ରଶ୍ନ ଉପରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିଜେପୁରକୁ ନେଇ ବିଜେଡି ଅନ୍ୟମାନଙ୍କ ଅପେକ୍ଷା ପ୍ରସ୍ତୁତିରେ ଆଗରେ ରହିଛି।