ଗାଁରୁ ଆସୁଛି ପ୍ରଥମ ପର୍ଯ୍ୟାୟ ରାୟ ! ପୂର୍ବଭଳି ଡ୍ରାଇଭର ସିଟରେ ବସିପାରେ ବିଜେଡି

28

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ଫଳାଫଳ ଆସିବାରେ ଲାଗିଛି । ଏବେ ବି ଚାଲିଛି ଆଗୁଆ ପଛୁଆର ହିସାବ ନିକାଶ । ତେବେ ଚକମା ଦେଇଛି ବିଜେପି । ପୂର୍ବ ନିର୍ବାଚନ ଅପେକ୍ଷା ବେଶ୍ ଅଧିକ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି ବିଜେପି । କିନ୍ତୁ ଏବେ ବି ଡ୍ରାଇଭର ସିଟରେ ବିଜେଡି ।

ଶେଷ ସୂଚନା ଅନୁସାରେ ବିଜେଡି ୩୪ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ୨୨ଟି ଆସନ ହାତେଇଛି ବିଜେପି । ଅନ୍ୟପଟେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ଜିତିଛି ଅନ୍ୟ ପ୍ରାର୍ଥୀ । ସେପଟେ ଅନ୍ୟ ଜିଲ୍ଲାପରିଷଦ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ୪ ଟି ଜୋନରେ ବିଜେଡି ଜିତିଛି ।

ସୁବର୍ଣ୍ଣପୁର ଜିଲ୍ଲା ତରଭାର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୟାଗଡ ଜିଲ୍ଲା ଓଡଗାଁର ୨ ଟି ଜୋନରେ ବିଜେଡି ଜିତିଛି । ମାଲକାନଗିରିର ଦୁଇଟି ଜୋନରେ ବି ବିଜେଡି ବାଜି ମାରିଛି । ଗଜପତିର ଦୁଇଟି ଜୋନକୁ ବି ଅକ୍ତିଆର କରିଛି ବିଜେଡି । ସୁନ୍ଦରଗଡର ଗୋଟିଏ ଜୋନରେ କଂଗ୍ରେସ ବିଜୟୀ । ଗୋଟିଏରେ ବିଜେଡି ବିଜୟୀ । କେନ୍ଦୁଝରର ୩ ଟି ଜୋନରେ ବିଜେଡି ବିଜୟୀ । କଳାହାଣ୍ଡି ଜୟପାଟଣାର ୩ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।