କନକବ୍ୟୁରୋ : ହୀରାକୁଦ ବନ୍ଧ । ଏକ ନାଁ ନୁହେଁ । ଗୋଟିଏ ଜାତିର ବିକାଶରେ ମୁଖ୍ୟ ସହଭାଗିତା । ଓଡିଶାର ବିକାଶର ପ୍ରମୁଖ ଭୂମିକା ନିଭାଇଥିବା ହୀରକୁଦ ନାଁରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଆଉ ଏକ ସମ୍ମାନମିଳିଛି ଏହି ପୁରୁଣା ଡ୍ୟାମକୁ । ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅବସରରେ ହୀରାକୁଦ ବନ୍ଧକୁ ଡାକ ଲଫାପାରେ ସ୍ଥାନିତ କରିଛି ।

ସ୍ୱାଧୀନତା ପରେ ଏହା ପ୍ରଥମ ବହୁମୁଖୀ ନଦୀ ଅବବାହିକା ପ୍ରକଳ୍ପ । ମହାନଦୀରେ ବନ୍ୟା ରୋକିବା ଉଦ୍ଦେଶ୍ୟରେ ବିଶିଷ୍ଟ ବନ୍ଧର ନିର୍ମାଣ କାର୍ୟ୍ୟ ୧୯୪୮ରେ ଆରମ୍ଭ ହୋଇଥିଲା । ବିଧିବଦ୍ଧ ଭାବେ ୧୯୫୭ରେ ଏହାର ଉଦଘାଟନ କରାଯାଇଥିଲା । ପରେ ଏହି ଡ୍ୟାମ ଓଡିଶାବାସୀଙ୍କ ଲାଇଫଲାଇନ ପାଲଟିଯାଇଥିଲା । ଓଡିଶାବାସୀଙ୍କ ଭାଗ୍ୟକୁ ବଦଳାଇବାରେ ବଡ ଅବଦାନ ରଖିଲା ହୀରାକୁଦ ଡ୍ୟାମ । ଆଜିର ଦିନରେ କୃଷ. ବିଦ୍ୟୁତ ଶକ୍ତି ଉତ୍ପାଦନକରିବା ସହ ଅନେକ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ପାଲଟିଛି ।

ଶତାଧିକ ବର୍ଷ ଧରି ଡାକସେବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଗ ଭାବେ ରହି ଆସିଛି। ଏକ ପ୍ରକାରେ ଏହା ସଂସ୍କୃତିର ଜୀବନଧାରାରେ ପରିଣତ ହୋଇସାରିଛି। ଦେଶର କୋଣ ଅନୁକୋଣରେ ନିୟୋଜିତ ଥିବା ଡାକ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଭାବେ ରହିଛନ୍ତି ବୋଲି ଡାକ ଟିକଟ ସଂଗ୍ରହ ଉତ୍ସବ(ଫିଲାଟେଲିକ୍ ଫେଷ୍ଟିଭାଲ)ରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଂଜନ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ପାନ୍ଥନିବାସର ମହାନଦୀ ହଲ୍ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅତିକ୍ରମ କରିଥିବା ହୀରାକୁଦ ବନ୍ଧର ଫଟୋ ସମ୍ବଳିତ ଲଫାପାକୁ ଉନ୍ମୋଚିତ କରିଥିଲେ।

ଶାନ୍ତସୁଧାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟବକ୍ତା ଶାନ୍ତନୁ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସହକାରୀ ଡାକ ନିର୍ଦେଶକ ମୁକୁନ୍ଦ ବେହେରା, ବିଶିଷ୍ଟ ଅତିଥି ଭାବେ କେନ୍ଦୁଝର ଡାକ ଡିଭିଜନର ଅଧୀକ୍ଷକ ଦେବୀପ୍ରସାଦ ନାୟକ, କଟକ ଡାକ ଡିଭିଜନର ବରିଷ୍ଠ ଅଧୀକ୍ଷକ ଆଦିତ୍ୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମ୍ବଲପୁର ଡାକ ମଣ୍ଡଳର ଅଧୀକ୍ଷକ ବାନାମ୍ବର ସେଠୀ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ। ଡାକ ଟିକଟ ପ୍ରଦର୍ଶନୀରେ ୪ ଜଣ ବିଶିଷ୍ଟ ଡାକ ଟିକଟ ସଂଗ୍ରହକାରୀ ଅଜିତ ରାଉତ, କମଳ ଚକ୍ରବର୍ତ୍ତୀ, ଗଂଗାଧର ତ୍ରିପାଠୀ ଓ କାଶିନାଥ ସାହୁ ଅଂଶ ଗ୍ରହଣ କରିଥିଲେ। ଏହି ଦୁଇଦିନିଆ କାର୍ୟ୍ୟକ୍ରମର ପ୍ରଥମ ଦିନରେ ପ୍ରଦର୍ଶନୀ ସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଓଡିଶାରେ ବନ୍ୟାକୁ ନିୟନ୍ତିତକରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ହୀରାକୁଦ ବନ୍ଧ । ପଶ୍ଚିମଓଡିଶାର ବରଗଡ,ସମ୍ବଲପୁର, ଝାରସୁଗୁଡା ଆଦି ଅଂଚଳରେ ଜୀବନ ଧାରଣର ମାଧ୍ୟମରେ ଅନେକ ପରିବର୍ତନ କରାଇପାରିଛି । ହୀରାକୁଦ ଡ୍ୟାମର ମୁଖ୍ୟ ତିନୋଟି କେନାଲ ଯଥା ବରଗଡ ମୁଖ୍ୟ କେନାଲ,ଶାସନ କେନାଲ ଓ ସମ୍ବଲପୁର କେନାଲ ଦ୍ୱାରା ବହୁ ଚାଷୀଙ୍କର ଭାଗ୍ୟରେ ପରିବର୍ତନ ଆଣିଛି ।ଓଡିଶାର ଶିଳ୍ପ ଜଗତରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ହୀରାକୁଦ । ଝାରସୁଗୁଡା ଓ ସମ୍ବଲପୁର ଅଂଚଳରେ ଥିବା ଥର୍ମାଲ ପାୱାର ପ୍ଲାଂଟ ସମେତ ମିନେରାଲ ପ୍ରୋସେସିଂ ୟୁନିଟକୁ ସହାୟତା ଯୋଗାଉଛି ।

କେବଳ କୃଷି ନୁହେଁ ଅନେକ ଲୋକଙ୍କ ପାଇଁ ଜୀବନଜୀବିକାର ସ୍ଥଲ ପାଲଟିଛି ହୀରାକୁଦ । ନିର୍ମାଣର ଷାଠିଏ ବର୍ଷ ପରେ ଡାକ ଲଫାପାରେ ସ୍ଥାନିତ ହେବା ନିଶ୍ଚିତ ଭାବେ ଗର୍ବ, ଗୌରବ ଓ ସମ୍ମାନର ବିଷୟ । ଆଶା କରିବା ହୀରାକୁଦ ଏହିଭଳି ଓଡିଶାବାସୀଙ୍କ ସୁଖଦଃଖରେ ସାମିଲ ହେବା ସହ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାରେ ସହାୟକ ହେବ ।

 

Comments

comments