ଓଡ଼ିଆ ଝିଅଙ୍କ କମାଲ : ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ପାୟଲ ଓ ଗୀତାଞ୍ଜଳୀ ପାଲଟିଲେ ଓଡିଶାର ‘ପ୍ୟାଡ ଗାର୍ଲ’

30

କନକ ବ୍ୟୁରୋ : ଅକ୍ଷୟ କୁମାରଙ୍କ ପ୍ୟାଡ଼ମ୍ୟାନ ସିନେମା ସମସ୍ତେ ଦେଖିଥିଲେ ନିଶ୍ଚୟ । ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା । ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ନିର୍ମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେ ବିଷୟରେ କଥା ହେବାକୁ ସଙ୍କୋଚ ଅନୁଭବ କରନ୍ତି । ଏହି ଫିଲ୍ମରେ ମହିଳାଙ୍କ ପିରିୟଡସକୁ ନେଇ ହେଉଥିବା ସମସ୍ୟା ବିଷୟରେ ଦର୍ଶାଯାଇଛି । ଫିଲ୍ମ ଆରମ୍ଭ ଆଗରୁ କୁହାଯାଇଥାଏ, ଏହା ସମ୍ପୁର୍ଣ୍ଣ କାଳ୍ପନିକ । କୌଣସି ବ୍ୟକ୍ତି ସହ ଏହାର ସାମଞ୍ଜସ୍ୟ ନାହିଁ । ହେଲେ ବାସ୍ତବତା ବି ବେଳେ ବେଳେ ଭିନ୍ନ ହୋଇଥାଏ । ଯାହା ଦର୍ଶାଇଥାଏ, ସମାଜରେ ସଂଘର୍ଷ କରି ରୋଲ୍ ମଡେଲ ପାଲଟୁଥିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ ।

ସିନେମାରେ ନୁହେଁ ଆମ ଓଡ଼ିଶାରେ ପ୍ୟାଡ଼ମ୍ୟାନ୍ ନୁହେଁ ଅଛନ୍ତି ପ୍ୟାଡ଼ଗର୍ଲ । ଝାରସୁଗୁଡାର ପାୟଲ ପଟେଲ ଓ ଢେଙ୍କାନାଳ ଗୀତାଂଜଳି ମାରାଣ୍ଡି ହେଉଛନ୍ତି ଓଡ଼ିଶାର ପ୍ୟାଡ଼ଗର୍ଲ । କାହାଣୀ ହୁଏତ ସେମାନଙ୍କର ଅଲଗା ଅଲଗା, କିନ୍ତୁ ଉଦ୍ଦେଶ୍ୟ ଗୋଟିଏ । ମହିଳା ରୂପକ ଯେଉଁ ଶିକୁଳି ସେମାନଙ୍କର ଗୋଡରେ ବର୍ଷ ବର୍ଷ ଧରି ବନ୍ଧା ହୋଇ ରହିଥିଲା ତାକୁ ଦୂର କରି ସମାଜରେ ଉଦାହରଣ ସୃଷ୍ଟି କରିବା ।ଅନେକ କଟକଣା, ପ୍ରତିବନ୍ଧକ, ସମାଲୋଚନା, କଟୁବାକ୍ୟ ସହ ସବୁଠାରୁ ବଡ ଲାଂଛନା ତୁ ଝିଅଟିଏ । କ’ଣ ବା କରିପାରିବୁ । ସଂଘର୍ଷ ଯେତେବେଳେ ଏହି ତମାମ ଶଦ୍ଦ ସହ ଚାଲେ, ସେତେବେଳେ ଜିତିବାର ନିଶା କିଛି ଅଲଗା ପ୍ରକାରର ଅନୁଭବ ହୁଏ ।

ପାୟଲଙ୍କର ସଂଘର୍ଷ ଆରମ୍ଭ ହୁଏ ୨୦୦୯ରୁ ଯେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ଉଭୟ ଆର୍ଥିକ ଓ ପାରିବାରିକ ଦୃଷ୍ଟିକୋଣରୁ ଅନେକ ପ୍ରତିବନ୍ଧକ ସୃଷ୍ଟି କଲା । ସ୍ୱାବଲମ୍ବୀ ହେବାର ସଂକଳ୍ପ ପାଇଁ ପ୍ରୟାସ ଥିଲା ପାୟଲଙ୍କର । ନିଜ ହକ୍ ପାଇଁ ଲଢେଇ ନଥିଲା ବରଂ ପୂରା ସମାଜ ପାଇଁ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଆଜି ବନିଛନ୍ତି ପ୍ୟାଡ ଗାର୍ଲ ।

ଗୋଟିଏ ସମୟରେ ଋତୁସ୍ରାବକୁ ନେଇ ଆଲୋଚନା କରିବା ଆଉ ପ୍ୟାଡ୍ ବ୍ୟବହାର କରିବାକୁ ସମାଜରେ ସଂସ୍କାର ଦୃଷ୍ଟିକୋଣରେ ଦେଖା ଯାଉଥିଲା । ହେଲେ ଆଜି ଜାତୀୟ ସ୍ତରରେ ଏହାକୁ ନେଇ ହେଉଛି ଆଲୋଚନା । ଯେଉଁଠି, ଢେଙ୍କାନାଳର ଗୀତାଂଜଳି ହୋଇଛନ୍ତି ଟପ୍ପର । ଆଦିବାସୀ ଝିଅ ହୋଇଥିବାରୁ ପ୍ରଥମେ ପରିବାର ଲୋକ ଦିଲ୍ଲୀ ଛାଡିବାକୁ ପ୍ରସ୍ତୁତ ନଥିଲେ, ଯାହା ବିରୋଧରେ ଲଢି ଦିଲ୍ଲୀରେ ବାଜି ମାରିବାରେ ସକ୍ଷମ ହୋଇଥିଲେ ।

ଚିନ୍ତା କରିବାର ଆବଶ୍ୟକତା ରହୁଛି, ଯଦି କଟକଣା ଆଉ ପ୍ରତିବନ୍ଧକ ଭିତରେ ସବୁକିଛି ସୀମିତ ରଖାଯାଏ ଆଉ ଖୋଲା ଆକାଶରେ ଉଡିବାର ମାହୋଲକୁ ବନ୍ଦ କରିଦିଆଯାଏ, ତେବେ ସଫଳତା ମିଳିବ କି? ହକର ଲଢେଇ କେବଳ ପାୟଲ ଓ ଗୀତାଂଜଳିଙ୍କ ପାଖରେ ସୀମିତ ନାହିଁ, ଏହାର ତାଲିକା ଲମ୍ବିବ ଯେତେବେଳେ, ଚିନ୍ତା କରିବାର ଅବସର ସେମାନଙ୍କ ପାଇଁ ଆସିବ ଆଉ ଆଗକୁ ଯିବାକୁ ସୁଯୋଗ ପହଂଚା ଯାଇପାରିବ ।