ଅଗଷ୍ଟ ୧୫ ସୁଦ୍ଧା ପ୍ରତି ଜିଲ୍ଲାରେ ଆଦର୍ଶ ଥାନା! ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ଓଡିଶା ପୋଲିସର ନୂଆ ଅଭିଯାନ ।

67

ରାଜ୍ୟବାସୀଙ୍କ ଆବଶ୍ୟକତା ପୁରା କରିବା ପାଇଁ ଏଣିକି ପ୍ରତି ଜିଲ୍ଲାରେ ହେବ ମଡେଲ ପୋଲିସ ଷ୍ଟେସନ । ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ କଟକ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେସିଂ ଦ୍ୱାରା ଜିଲ୍ଲା ଏସପି ମାନଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ରାଜ୍ୟରେ ମଡେଲ ପୋଲିସ ଷ୍ଟେସନ ପାଇଁ ୨୮ଟି ପାରାମିଟର ସ୍ଥିର କରାଯାଇଛି । ଯେଉଁଥିରେ ପୋଲିସ ଷ୍ଟେସନର ସମ୍ପୂର୍ଣ୍ଣ ନବୀକରଣ, ଥାନା ପରିସରକୁ ସୌନ୍ଦର୍ଯ୍ୟକରଣ, ସିସିଟିଭି, ଅନୁସନ୍ଧାନ କେନ୍ଦ୍ର ସହ ମହିଳା ଏବଂ ଶିଶୁ ଡେସ୍କ ଭଳି ଉତ୍ତମ କନଫରେନ୍ସ ଗୃହମାନ ରହିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ମଡେଲ ପୋଲିସ ଷ୍ଟେସନ କରିବା ନେଇ ପ୍ରତି ଜିଲ୍ଲାର ଏସପି ମାନଙ୍କୁ ଆହ୍ୱାନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଯେଉଁଥିରେ ନିଜ ଜିଲ୍ଲାର ଏକ ପୋଲିସ ଷ୍ଟେସନକୁ ମଡେଲ ପୋଲିସ ଷ୍ଟେସନରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଜିଲ୍ଲା ଏସପି । ଏବଂ ଜିଲ୍ଲା ଏସପି ଚୟନ କରିଥିବା ପୋଲିସ ଷ୍ଟେସନର ନବୀକରଣ ସହ ପୋଲିସ କର୍ମଚାରୀଙ୍କ ସଂଖ୍ୟା , ଯାନବାହାନ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନଦେବା ଜରୁରୀ ବୋଲି କହିଥିଲେ ଜିଲ୍ଲା ଏସପି । ତେବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଜିଲ୍ଲା ଏସପିଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏହି ଦିଗ ଉପରେ କାର୍ଯ୍ୟକାରୀ କରିବା ସହ ସମସ୍ତ ପ୍ରକାର ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି ।

ଏହି ଭିଡିଓ କନଫରେସିଂରେ ପୋଲିସ ଡିଜି ମଡେଲ ପୋଲିସ ଷ୍ଟେସନ ପାଇଁ ଆବଶ୍ୟକୀୟ ହେଉଥିବା ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଯଥା ପୋଲିସ ଷ୍ଟେସନର ଭିତ୍ତିଭୂମି, ଅର୍ଥନୀତି, କର୍ମଚାରୀଙ୍କ ସଂଖ୍ୟା ଏବଂ ବ୍ୟବହାର ଭଳି ଦିଗ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ତେବେ ରାଜ୍ୟର ପ୍ରତି ଜିଲ୍ଲାରେ ମଡେଲ ପୋଲିସ ଷ୍ଟେସନର ଚୁଡାନ୍ତ ରୂପ ଅଗଷ୍ଟ ୧୫ ତାରିଖ ଭିତରେ ଶେଷ କରିବାକୁ ପୋଲିସ ଡିଜି ଲକ୍ଷ୍ୟ ରଖିଛନ୍ତି । ତେବେ ମଡେଲ ପୋଲିସ ଷ୍ଟେସନ ହେବା ଦ୍ୱାରା ଅନେକ ସମୟରେ ଲୋକମାନଙ୍କ ଆବଶ୍ୟକ ଅନୁସାରେ ଅଭିଯୋଗ ଏବଂ ସହାୟତା ପ୍ରଦାନ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇପାରିବ ବୋଲି ଆଶା କରାଯାଉଛି ।