ଓଡ଼ିଶାର ପର୍ଯ୍ୟଟନସ୍ଥଳକୁ ଚରମ ଅବହେଳା । ଶ୍ରୀମନ୍ଦିର ଓ କୋଣାର୍କର ବିକାଶ କଥା ଭୁଲିଗଲା କେନ୍ଦ୍ର, ଦେଶର ୧୭ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇଲାନି ଓଡ଼ିଶା ।

453

କନକ ବ୍ୟୁରୋ : ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ କେନ୍ଦ୍ରର ଚରମ ଅବହେଳାର ଏକ ଚିତ୍ର ସାମନାକୁ ଆସିଛି । ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ବଜେଟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ । ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକଶିତ କରିବା ପାଇଁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ବି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଏହାକୁ ଭୁଲିଯାଇଛି ।

ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ଅଣଦେଖା । ଦେଶର ୧୭ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇଲାନି ଓଡ଼ିଶା । ବଜେଟ୍ ଭାଷଣ ବେଳେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଶା କରାଯାଉଥିଲା, ଓଡ଼ିଶାର ଅତି କମରେ ୨-୩ଟି ପର୍ଯ୍ୟଟନ ସ୍ଥଳ ଏଥିରେ ସ୍ଥାନ ପାଇବ ।

ତେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ, ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳ ଚିହ୍ନଟ କରିଛି । ସେଥିରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ । ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକଶିତ କରିବା ପାଇଁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଇକନିକ୍ ଟୁରିଷ୍ଟ ସାଇଟ୍ ଡେଭେଲୋପମେଂଟ ପ୍ରୋଜେକ୍ଟରେ ଶ୍ରୀମନ୍ଦିର ସ୍ଥାନ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଯେଉଁ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରାଯାଇଛି ସେଗୁଡିକ ହେଲା, ଉତ୍ତରପ୍ରଦେଶର ତାଜମହଲ ଓ ଫତେପୁର ସିକ୍ରୀ, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନ କବର, ଲାଲକୀଲା ଓ କୁତବ ମୀନାର, ଗୁଜରାଟର ସୋମନାଥ ମନ୍ଦିର ଓ ଧୋଲାବି, ମଧ୍ୟପ୍ରଦେଶର ଖଜୁରାହୋ, କର୍ଣ୍ଣାଟକର ହାମ୍ପି, ତାମିଲନାଡ଼ୁର ମହାବଳିପୁରମ୍, ଆସାମର କାଜିରଙ୍ଗା, କେରଳର କୁମରାକମ୍, ଗୋଆର କୋଲୱା ବିଚ୍ ଏବଂ ବିହାରର ମହାବୋଧି ମନ୍ଦିର ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କୋଣାର୍କ ମନ୍ଦିର ଏହି ତାଲିକାରେ ରହିନାହିଁ । ୟୁନେସ୍କୋ ପକ୍ଷରୁ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦିଆଯାଇଥିବା ବେଳେ କିପରି ଏହାର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଆଗ୍ରହ ଦେଖାଇନାହିଁ, ତାହା ବଡ଼ ପ୍ରଶ୍ନ ହୋଇଛି । ଆଇକନିକ୍ ଟୁରିଷ୍ଟ ସାଇଟ୍ ଡେଭେଲୋପମେଂଟ ପ୍ରୋଜେକ୍ଟ ପାଇଁ ମାନଦଣ୍ଡ ହେଉଛି – ଧାର୍ମିକ ଗୁରୁତ୍ୱ, ପ୍ରାକୃତିକ ପରିବେଶ ଓ ସୂକ୍ଷ୍ମ କାରୁକାର୍ଯ୍ୟ । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ କିପରି ଏହି ତିନିଟି ମାନଦଣ୍ଡ ପୂରଣ କରିପାରିଲା ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।