ଆଜି କନକ ନ୍ୟୁଜର ‘ଓଡିଶା ନିର୍ମାଣ କନକ୍ଲେଭ-୨୦୧୮’ । ବିଭିନ୍ନ ଶୀର୍ଷକରେ ମତ ରଖିବେ ଓଏସଡିଏ ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ଓ ରାଜନେତା

37

କନକ ବ୍ୟୁରୋ: କନକ ନ୍ୟୁଜ ପକ୍ଷରୁ ‘ଓଡିଶା ନିର୍ମାଣ କନକ୍ଲେଭ’ର ଦ୍ୱିତୀୟ ସଂସ୍କରଣ ଆଜି ହୋଟେଲ କ୍ରାଉନରେ ଆୟୋଜିତ ହେବ । କନକ୍ଲେଭର ଉଦଘାଟନ ପରେ ସ୍ୱାଗତ ଭାଷଣ ଦେବେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାପରେ ବିଭିନ୍ନ ଶୀର୍ଷକରେ ମତ ରଖିବେ ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ, ଓଏସଡିଏର ଅଧ୍ୟକ୍ଷ ସୁବ୍ରୋତ ବାଗ୍ଚୀ , ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ରାଜନେତା । ଏହାର ସିଧାପ୍ରସାରଣ ଆପଣ ଦେଖିପାରିବେ କେବଳ କନକ ନ୍ୟୁଜରେ ।

ଦ୍ୱିତୀୟ ସଂସ୍କରଣରେ ‘ଓଡ଼ିଶା ନିର୍ମାଣ: ଅମଲାତନ୍ତ୍ରର ଦୃଷ୍ଟିକୋଣ’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ହେବ। ଏଥିରେ ୪ ଜଣ ପ୍ରଶାସନିକ ଅଧିକାରୀ ଭାଗନେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନରେ ହେବାକୁ ଥିବା ‘ଲୋକପ୍ରିୟ ହେବା ପାଇଁ ରାଜନୀତି ସୁସ୍ଥ ଅର୍ଥନୀତିର ପରିପନ୍ଥୀ କି?’ ଶୀର୍ଷକ ଆଲୋଚନାଚକ୍ରରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଅଂଶଗ୍ରହଣ କରିବେ।

ସେହିପରି କନକ ନ୍ୟୁଜର ଅନ୍ୟ ଏକ କାର୍ଯ୍ୟକ୍ରମ ‘ଅନନ୍ୟା: ସେଲିବ୍ରେଟିଙ୍ଗ ଦି ଓମ୍ୟାନ୍ ଇନ୍ ୟୁ’ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ପୁରସ୍କାର ବିଜେତା ତଥା ଅଭିନେତ୍ରୀ ରବିନା ଟଣ୍ଡନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।