ତାଲାବନ୍ଦ କଟକଣା ଉଠିଲେ ନୂଆ ନିୟମ: ମାତ୍ର ଗୋଟିଏ ମିନିଟରେ ମିଳିଯିବ ଗାଡ଼ି ନମ୍ବର; ଘରେ ବସି ଲର୍ଣ୍ଣିଂ ଲାଇସେନ୍ସ୍ ପାଇପାରିବେ ଗାଡ଼ି ମାଲିକ

9,673

କନକ ବ୍ୟୁରୋ: ଏଣିକି ଗାଡ଼ି ପଞ୍ଜୀକରଣ ନମ୍ବର ପାଇବାକୁ ଗାଡ଼ି ମାଲିକଙ୍କୁ ଆଉ ସପ୍ତାହେ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ଗୋଟିଏ ମିନିଟରେ ଗାଡ଼ି ନମ୍ବର ମିଳିଯିବ। ଡିଲର୍ ଅନଲାଇନରେ ପରିବହନ ବିଭାଗ ଓ୍ବେବସାଇଟରେ ଗାଡ଼ିର ସମସ୍ତ କାଗଜପତ୍ର ଓ ଟ୍ୟାକ୍ସ ଦାଖଲ କରିବା ପରେ ଗୋଟିଏ ମିନିଟ୍ ଭିତରେ କମ୍ପ୍ୟୁଟର ଗାଡ଼ି ନମ୍ବର ଜାରି କରିଦେବ। ଏଥିରେ ଆରଟିଓ ଅଧିକାରୀଙ୍କ କୌଣସି ପ୍ରକାର ଭୂମିକା ରହିବ ନାହିଁ। ଗାଡ଼ି ନମ୍ବର ପରି ଲର୍ଣ୍ଣିଂ ଲାଇସେନ୍ସ(ଏଲଏଲ୍) ମଧ୍ୟ ଘରେ ବସି ଗାଡ଼ି ମାଲିକ ପାଇପାରିବେ। ଅଯଥା ଏଲ୍.ଏଲ୍. ପାଇଁ ଆର୍ଟିଓରେ ଭିଡ଼ କରିବାକୁ ପଡ଼ିବ ନାହିଁ। ପରିବହନ କମସିନରଙ୍କ ପକ୍ଷରୁ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବାବେଳେ ଲକଡାଉନ ଉଠିଲା ପରେ ରାଜ୍ୟରେ ଏହି ନୂଆ ନିୟମ କାର୍ୟ୍ୟକାରୀ ହେବାକୁ ଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଯେକୌଣସି ଗାଡ଼ି କିଣିଲା ପରେ ଗାଡ଼ି ମାଲିକଙ୍କ ପରିଚୟପତ୍ର, ସେଲ୍ ଡିଡ୍, ଗାଡ଼ି ଋଣ ହୋଇଥିଲେ ଋଣର ଏଗ୍ରିମେଣ୍ଟ ଇତ୍ୟାଦି କାଗଜପତ୍ର ଡିଲରଙ୍କ ପକ୍ଷରୁ ନିକଟସ୍ଥ ଆର୍ଟିଓରେ ଜମା କରିବାକୁ ପଡ଼ୁଥିଲା। ଗାଡ଼ିର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ଥିଲେ, ସେହି ଗାଡ଼ି ପାଇଁ ପ୍ୟାନ୍ କାର୍ଡ ଜେରକ୍ସ ବି ଦାଖଲ କରିବାକୁ ପଡ଼ୁଥିଲା। ଏବେ ସମୟ ଓ ଲୋକ ବଳ ହ୍ରାସ କରାଇବା ଉଦ୍ଦେଶ୍ୟରେ ଡିଲରଙ୍କୁ ଟ୍ୟାକ୍ସ ଦାଖଲ ପାଇଁ ମିଳିଥିବା https://parivahan.gov.in/parivahan/ର ୟୁଜର ନେମ୍ ଓ ପାସଓ୍ବାର୍ଡ ବ୍ୟବହାର କରି ଅନଲାଇନରେ ଗାଡ଼ିର ସମସ୍ତ କାଗଜପତ୍ର ଦାଖଲ କରିବେ। କାଗଜପତ୍ର ସହିତ ଟ୍ୟାକ୍ସ ଦାଖଲ କରିବା ପରେ ଗୋଟିଏ ମିନିଟ୍ ଭିତରେ ଗାଡ଼ିର ପଞ୍ଜୀକରଣ ନମ୍ବର ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର ଏବଂ ଡିଲରଙ୍କ ପୋର୍ଟାଲକୁ ଆସିଯିବ। ଏଥିପାଇଁ ଡିଲର ଆରଟିଓ ଅଫିସ ଆସିବାକୁ ପଡ଼ିବ ନାହିଁ। ଏହାପରେ ଭେଣ୍ଡରଙ୍କ ମାଧ୍ୟମରେ ତୁରନ୍ତ ନମ୍ବର ପ୍ଲେଟ ପ୍ରସ୍ତୁତ କରି ଡିଲର ଗାଡ଼ି ମାଲିକଙ୍କୁ ଗାଡ଼ିଟି ହସ୍ତାନ୍ତର କରାପାରିବେ। ପରେ ଡିଲରଙ୍କ ପକ୍ଷରୁ କେବଳ ଅନଲାଇନରେ ଅପଲୋଡ ହୋଇଥିବା ମୂଳ କାଗଜପତ୍ର ଆରଟିଓରେ ଯାଞ୍ଚ କରାଇ ନେଇଯିବେ।

ଅନ୍ୟପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ପରିବହନ କମିସନରଙ୍କ କାର୍ଯ୍ୟାଳୟ। ଦୁଇଚକିଆ ଗାଡ଼ି ଥିବା ବ୍ୟକ୍ତି ଚାରିଚକିଆ ଗାଡ଼ି କିଣିବାକୁ ଚାହୁଁଥିଲେ କିମ୍ବା ଚାରିଚକିଆ ଗାଡ଼ି ଥିବା ବ୍ୟକ୍ତି ଦୁଇଚକିଆ ଗାଡ଼ି କିଣିବାକୁ ଚାହୁଁଥିଲେ ଲର୍ଣ୍ଣିଂ ଲାଇସେନ୍ସ(ଏଲ୍.ଏଲ୍) ପାଇଁ ତାଙ୍କୁ ଅନଲାଇନରେ ସ୍ଲଟ୍ ବୁକିଂ କରି ଆରିଟିଓ ଅଫିସ ଆସିବାକୁ ପଡ଼ୁଥିଲା। ପରିଚୟପତ୍ର, ଘୋଷଣାପତ୍ର, ପୂର୍ବ ଗାଡ଼ିର ଡିଏଲ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜମା କରିବାକୁ ପଡ଼ୁଥିଲା। ଆରଟିଓ ଅଫିସରେ କାଗଜପତ୍ର ଯାଞ୍ଚ ପରେ ଲର୍ଣ୍ଣିଂ ଲାଇସେନ୍ସ ମିଳୁଥିଲା। କିନ୍ତୁ ଏବେ ଦ୍ବିତୀୟ ଥର ଗାଡ଼ି କିଣିବାକୁ ଚାହୁଁଥିବା ମାଲିକ ଏଲଏଲ୍ ପାଇଁ ଆରଟିଓ ଅଫିସ ଆଉ ଆସିବାକୁ ପଡ଼ିବ ନାହିଁ। ସେମାନେ https://parivahan.gov.in/parivahan/ଓ୍ବେବସାଇଟରେ ଆବେଦନ କଲେ ପୂର୍ବ ଗାଡ଼ି ପାଇଁ ଜମା କରାଯାଇଥିବା ଗାଡ଼ିର କାଗଜପତ୍ରଗୁଡ଼ିକ କମ୍ପ୍ୟୁଟର ଅଟୋମେଟିକ ପରିବହନ ବିଭାଗର ସର୍ଭରରୁ ନୂଆ ଗାଡ଼ି ପାଇଁ ଗ୍ରହଣ କରିନେବ। ପୁନଃ କାଗଜପତ୍ର ଜମା କରିବାକୁ ପଡ଼ିବ ନାହିଁ।