ଜାରି ରହିବ କାଳିଆ କୃପା : ନୂଆ କୃଷି ନୀତି ଚିଠା ପ୍ରସ୍ତାବର ଫୋକସରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧି,ରିପୋର୍ଟ କହିଲା ବଢୁଛନ୍ତି ଭାଗଚାଷୀ, କମୁଛି ଚାଷ ଜମି

663

କନକ ବ୍ୟୁରୋ : ରାଜ୍ୟରେ ଆସିବ ୨୦୧୯ କୃଷିନୀତି । ଏଥିପାଇଁ ଚିଠା ତାଲିକା ପ୍ରକାଶ କରିଛି କୃଷି ବିଭାଗ । ତେବେ ଚିଠା ତାଲିକାରେ କୃଷି କ୍ଷେତ୍ରରେ ଯେଉଁସବୁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ ହୋଇଛି । ଚାଷ ପ୍ରତି ଆଗ୍ରହ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଚାଷ ଜମି କମି କମି ଯାଉଛି । ଭୂମିହୀନ ଭାଗଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ହେଲେ ଜମିଥିବା ଚାଷୀଙ୍କ ସଂଖ୍ୟା ହ୍ରାସ ପାଉଛି । ସେପଟେ କାଳିଆ ଯୋଜନା ଅବଧିକୁ ୫ ବର୍ଷକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି ।

କିଛି ଚିନ୍ତାଜନକ ତଥ୍ୟ ରହିଛି ୨୦୧୯ କୃଷିନୀତି ଚିଠା ତାଲିକାରେ । ୧୯୭୦ ମସିହାରେ ଚାଷୀର ହାରାହାରି ଜମି ୧.୮୯ ହେକ୍ଟର ଥିବା ୨୦୧୫ରେ ଏହା ହ୍ରାସ ପାଇ ୦.୯୫ ହେକ୍ଟର ହୋଇଛି । ଏହାରି ଭିତରେ ଚାଷ ଅନୁପଯୋଗୀ ହୋଇଛି ୧୭ ଲକ୍ଷ ହେକ୍ଟର ଚାଷ ଜମି । ୨୦୦୧ରେ ୯୨ ଲକ୍ଷ କୃଷି ଶ୍ରମିକ ଥିବା ବେଳେ ୨୦୧୧ରେ ଏହା ବୃଦ୍ଧି ପାଇ ୧ କୋଟି ୮ ଲକ୍ଷରେ ପହଁଚିଛି । ଏହି ସମୟ ମଧ୍ୟରେ ଜମି ଥିବା ଚାଷୀଙ୍କ ସଂଖ୍ୟା ୪୨ ଲକ୍ଷରୁ ହ୍ରାସ ପାଇ ୪୧ ଲକ୍ଷ ହୋଇଥିବା ବେଳେ ଜମିହୀନ ଭାଗଚାଷୀଙ୍କ ସଂଖ୍ୟା ୫୦ ଲକ୍ଷରୁ ୬୭ ଲକ୍ଷକୁ ବୃଦ୍ଧି ପାଇଛି ।

ବରଗଡ଼, ମାଲକାନଗିରି, କୋରାପୁଟ, ସମ୍ବଲପୁର ଓ ଭଦ୍ରକରେ ଅଧିକ ଜଳସେଚିତ ଜମି ରହିଛି, ହେଲେ କମ ଜଳସେଚିତ ଜମି ଥିବା ନୟାଗଡ, ଅନୁଗୁଳ, ଦେବଗଡ଼ ଓ କଳାହାଣ୍ଡିରେ ଅଧିକ ପ୍ରକାର ଫସଲ ଅମଳ କରୁଛନ୍ତି ଚାଷୀ । ସେହିପରି ୧୭ଟି ଜିଲ୍ଲାରେ ଚାଷୀଙ୍କ ହାରାହାରି ଆୟ ହ୍ରାସ ପାଇଛି । କେଉଁଝର ଚାଷୀ ଯେତିକି ଆୟ କରୁଛନ୍ତି ତା’ର ୫ ଗୁଣ ଅଧିକ ଆୟ କରୁଛନ୍ତି ଝାରସୁଗୁଡ଼ାର ଚାଷୀ ।

 


 ୨୦୧୯ କୃଷିନୀତି ଡ୍ରାଫ୍ଟ  . . . 
– ଜଳସେଚନ ଉପରେ ରହିଛି ସବୁଠୁ ଅଧିକ ଫୋକସ
– ଉତ୍ପାଦିତ ଦ୍ରବ୍ୟ କିଭଳି ବଜାରରେ ଠିକ ମୂଲ୍ୟରେ ବିକ୍ରି ହେବ
– ଚାଷୀଙ୍କୁ ଉନ୍ନତମାନର ଯନ୍ତ୍ରପାତି ଯୋଗାଇବା ଉପରେ ଗୁରୁତ୍ୱ
– ମହିଳା ଚାଷୀଙ୍କୁ ଅଗ୍ରାଧିକାର
– ଚାଷୀଙ୍କୁ ଠିକ୍ ସମୟରେ ଫସଲ ବୀମା ଯୋଗାଇଦେବା
– ସରକାରୀ ସହାୟତା ଚାଷୀଙ୍କ ନିକଟରେ ପହଁଚାଇବା

୨୦୧୯ ନିର୍ବାଚନରେ କାଳିଆ ଯୋଜନା ଗେମ ଚେଂଜର ହୋଇଥିଲା ବିଜେଡି ସରକାରଙ୍କ ପାଇଁ । ତେଣୁ କୃଷିନୀତିରେ କାଳିଆର ଲଙ୍ଗଟର୍ମ କଥା ଚିନ୍ତା କରୁଛନ୍ତି ସରକାର । ୧୯୯୯, ପରେ ୨୦୦୮ ଓ ୨୦୧୩ରେ ସରକାର ଆଣିଥିଲେ ନୂତନ କୃଷି ନୀତି । କିନ୍ତୁ ୨୦୧୯ କୃଷି ନୂତିରେ କିଛି ନୂଆ ସଂସ୍କାର ଆଣିବା ପାଇଁ ପରିକଳ୍ପନା କରୁଛନ୍ତି ସରକାର ।