ଅଠରାଙ୍ଗରେ ଗୁଞ୍ଜରିତ ହେଲା ସହିଦ ଅମର ରହେ । କାଶ୍ମୀରରେ ବଳିଦାନ ଦେଇଥିବା ହେମନ୍ତ ପଣ୍ଡାଙ୍କର ଅନ୍ତିମ ସଂସ୍କାର ସଂପନ୍ନ

ପୈତୃକ ଗାଁରେ ଶୋକାକୁଳ ପରିବେଶ, ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି

285

କନକ ବ୍ୟୁରୋ: ସହିଦ ଯବାନ ହେମନ୍ତ ପଣ୍ଡାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ପୈତୃକ ଗାଁ ବେଗୁନିଆର ଅଠରାଙ୍ଗରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି  । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ସହିଦ ଯବାନ ପଂଚଭୂତରେ ଲୀନ ହୋଇଛନ୍ତି । ଆଜି ସକାଳୁ ସହିଦ ଯବାନଙ୍କ ଅନ୍ତିମ ଦର୍ଶନ କରିଥିଲେ ଅଂଚଳର ଶହ ଶହ ଲୋକ ।

ସହିଦ ଯବାନଙ୍କ ପାର୍ଥିବ ଶରୀର ପାଖରେ ତାଙ୍କ ବାପା କାନ୍ଦୁଥିବା ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ଅଠରାଙ୍ଗରେ ସହିଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ପରିକ୍ରମା କରି ଶ୍ମଶାନକୁ ନେବା ପରେ ସେଠାରେ ଅନ୍ତିମ ସଂସ୍କାର କରାଯାଇଛି । ଗତରାତିରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସହିଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ପହିଂଚିଥିଲା ।

ପରେ ହେମନ୍ତ ପଣ୍ଡାଙ୍କ ମରଶରୀରକୁ ପୈତୃକ ଗ୍ରାମ ବେଗୁନିଆର ଅଠରାଙ୍ଗକୁ ନିଆଯାଇଥିଲା । ଗଣତନ୍ତ୍ର ଦିବସରେ ସୀମାରେ ସହିଦ ହୋଇଥିଲେ ବୀର ଯବାନ ହେମନ୍ତ ପଣ୍ଡା । ଜାମ୍ମୁ-କାଶ୍ମୀରର ବାରାମୁଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଥିଲେ ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା ।