ସୁପ୍ରିମକୋର୍ଟଙ୍କ ରାୟକୁ ରାଜନୈତିକ ଦଳର ସ୍ୱାଗତ : ବିଜେଡି କହିଲା ଆଦାୟ ଜରିମାନା ଓଡ଼ିଶାବାସୀଙ୍କ କଲ୍ୟାଣରେ ଲାଗିବ

35

କନକ ବ୍ୟୁରୋ : ଓଡିଶା ଖଣି ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ବର୍ତ୍ତମାନ ପରିସ୍ଥିତିରେ ସିବିଆଇ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି । ତେବେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଫାଇନ୍ ଲଗାଇଛନ୍ତି । ପରିବେଶ ମଞ୍ଜୁରୀ ପାଇନଥିବା ଖଣିରୁ ହୋଇଥିବା ବେଆଇନ ଉତ୍ତୋଳନ ଉପରେ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ବାବଦରେ ରାଜ୍ୟ ସରକାର ଶତପ୍ରତିଶତ ଫାଇନ୍ ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହାଛଡା ପରିବେଶ ମଞ୍ଜୁରୀ ପାଇଥିବା ଖଣିରୁ ନିର୍ଧାରିତ ପରିମାଣଠାରୁ ଅଧିକ ଉତ୍ତୋଳନ ଉପରେ ମଧ୍ୟ ଫାଇନ୍ ଲାଗିଛି । ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ଜିନ୍ଦଲ ଷ୍ଟିଲ, ଶାରଦା ମାଇନିଂ ଓ ଏସଏଲ ତରଫରୁ ଖଣି ଖୋଲିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ୨ ସପ୍ତାହ ପରେ ଶୁଣାଣି ହେବ । ଜାତୀୟ ଖଣି ନୀତି ବଦଳିବା ଦରକାର ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ଓଡିଶାରେ ହୋଇଥିବା ବେଆଇନ ଖଣି ଦୁର୍ନୀତି ମାମଲାରେ କମନକଜ ସଂସ୍ଥା ପକ୍ଷରୁ ଦାୟର ପିଆଇଏଲ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସୁପ୍ରିମକୋର୍ଟ ରାୟ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ରାୟକୁ ସ୍ୱାଗତ କରିଛି ଦଳ । ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ରାଜ୍ୟ ସରକାର ୬୪ ହଜାର କୋଟି ଜୋରିମାନା ଧାର୍ଯ୍ୟ କରିଥିଲେ । ଏହା ଓଡିଶାବାସୀଙ୍କ କଲ୍ୟାଣରେ ଲାଗିବ ।

ଏ ନେଇ ବିଜେପି ନେତା ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛି । ରାୟକୁ ସ୍ୱାଗତ କରି ପ୍ରତାପ ଷଡଙ୍ଗୀ କହିଛନ୍ତି , ଜରିମାନା ଆଦାୟରେ ସରକାର ନିଷ୍ଠା ଦେଖାଇବା ଦରକାର ।