ଆଉ ଦୁଇ ଦିନ ପରେ ହକି ବିଶ୍ୱ ଲିଗ୍ ଫାଇନାଲ ! ସିସିଟିଭି ନଜରରେ କଳିଙ୍ଗ ଷ୍ଟାଡିୟମ

37

କନକ ବ୍ୟୁରୋ: ଆଉ ମାତ୍ର ୨ଦିନ ପରେ ଆରମ୍ଭ ହେବ ହକି ବିଶ୍ୱ ଲିଗ୍ ଫାଇନାଲ । ଏଥିପାଇଁ ଭାରତ ସମେତ ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ, ବେଲ୍ଜିୟମ, ଇଂଲଣ୍ଡ ଆଦି ଦେଶଗୁଡ଼ିକର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି । ଖେଳାଳିମାନଙ୍କୁ ରାଜଧାନୀର ମେ’ ଫେୟାର, ଟ୍ରାଇଡେଣ୍ଟ, ସ୍ୟାଣ୍ଡିସ୍ ଟାଓ୍ଵାର, ସ୍ୱସ୍ତି ପ୍ରିମିୟମ, ଏଚଏଚଆଇ ଭଳି ତାରକା ହୋଟେଲ୍ରେ ରଖାଯାଇଛି । ଆଜି ସୁଦ୍ଧା ମଧ୍ୟରେ ପ୍ରାୟ ସବୁଦେଶର ଖେଳାଳି ରାଜଧାନୀରେ ପହଞ୍ଚିଯିବେ । ତେଣୁ ସେମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଯିବା ଆସିବା, ରହିବା, ଅଭ୍ୟାସ କିଭଳି ଶାନ୍ତିଶୃଙ୍ଖଳାର ସହ କରାଯିବ, ସେ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପସ୍ତୁତି ଆରମ୍ଭ ହୋଇଛି । ଏମିତିକି ଗତକାଲିଠାରୁ ଷ୍ଟାଡିୟମରେ ଅଗ୍ନିଶମ ଓ ବନ ବିଭାଗକୁ ମୁତୟନ କରାଯାଇଛି ।

Kalinga-Stadiumଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଅନୁଷ୍ଠିତ ହେବ ହକି ବିଶ୍ୱ ଲିଗ୍ । ବିଶ୍ୱସ୍ତରର ଏକ ବଡ଼ କାର୍ଯ୍ୟକ୍ରମ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବାରୁ କମିସନରେଟ୍ ପୁଲିସ ଚାପରେ ରହିଛି । ସୁରକ୍ଷା ନେଇ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚାଲିଛି ବୈଠକ । ପୁଲିସ କମିସନର୍ ଯୋଗେଶ ବାହାଦୂର୍ ଖୁରାନିଆଙ୍କ ସୂଚନା ଅନୁଯାୟୀ, ଖୋଳାଳିମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବିମାନବନ୍ଦରରୁ ହୋଟେଲ୍, ଗେଷ୍ଟହାଉସରେ ପହଞ୍ଚାଇବା, ଅଭ୍ୟାସ ପାଇଁ ଷ୍ଟାଡିୟମକୁ ନେବା ଆଣିବା କରିବା ଓ ଖେଳ ସରିବା ପରେ ଖେଳାଳିମାନଙ୍କୁ ବିମାନବନ୍ଦରରେ ପହଞ୍ଚାଇବା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜଧାନୀକୁ ଦୁଇଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ବିମାନବନ୍ଦର-ଟ୍ରାଫିକ୍-ଷ୍ଟାଡିୟମକୁ ସୁରକ୍ଷା ଦେବ। ରାଜଧାନୀର ମୁଖ୍ୟ ଛକ, ଲୋକଗହଳି ସ୍ଥାନରେ ପୁଲିସ ୨୪ଘଣ୍ଟିଆ ପହରା ଦେବ । ସେହିପରି ଷ୍ଟାଡିୟମ୍ ଭିତରକୁ ବ୍ୟାଗ୍ ଓ ବୋତଲ ନେଇ କଟକଣା ମଧ୍ୟ ଜାରି କରାଯାଇଛି । ଖେଳ ସମୟରେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ବ୍ୟାଗ କିମ୍ବ ବୋତଲ ନେଇପାରିବେ ନାହିଁ ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଜଗିବେ ୨୫ ପ୍ଲାଟୁନ ଫୋର୍ସ, ଶହେ ଅଫିସର

ଖେଳାଳିମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯିବ । ସେମାନଙ୍କୁ ନିୟନ୍ତ୍ରଣ କରିବେ ଶହେ ଅଫିସର୍ । ସେମାନଙ୍କ ମଧ୍ୟରେ ୨ ଡିସିପିଙ୍କ ସମେତ ଏସପି, ଅତିରିକ୍ତ ଏସପି ଓ ଏସିପି ପାହ୍ୟାର ଅଫିସରଙ୍କ ସହ ଆଇଆଇସି ଏବଂ ଅନ୍ୟ ଅଫିସର୍ ରହିବେ । ସେହିପରି ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ୍, ଏସଓଜି ଯବାନ, କ୍ୟୁଏଟି, ଇଣ୍ଟେଲିଜେନ୍ସ ଭଳି ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯିବ । ଏହାଛଡ଼ା ଷ୍ଟାଡିୟମରେ ପୁଲିସ କଣ୍ଟ୍ରୋଲ୍ରୁମ ଖୋଲାଯାଇଛି । ଯେଉଁଥିରେ ଡିସିପି ପାହ୍ୟାର ଅଫିସର୍ ଦାୟିତ୍ୱରେ ରହିଛନ୍ତି । କଳିଙ୍ଗ ଷ୍ଟାଡିୟମକୁ ସ୍ୱତନ୍ତ୍ର ଭାବେ ଏସଓଜି କମାଣ୍ଡୋ ଜଗିବେ । ପ୍ରତି ଗ୍ୟାଲେରିରେ ଇଣ୍ଟେଲିଜେନ୍ସ ସ୍କ୍ଵାଡର ପୁଲିସଙ୍କୁ ମୁତୟନ କରାଯିବ । ସେହିପରି ଖେଳାଳି ରହୁଥିବା ଗେଷ୍ଟହାଉସ୍, ହୋଟେଲରେ ମଧ୍ୟ ପୁଲିସ ମୁତୟନ ହୋଇସାରିଛନ୍ତି । ସବୁଠି ମେଟାଲ ଡିଟେକ୍ଟର ମଧ୍ୟ ଖଞ୍ଜାଯାଇଛି ।

ସିସିଟିଭି ନଜରରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ କଳିଙ୍ଗଷ୍ଟାଡିୟମ୍ ଯାଏଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସ୍ଥାପନ ହୋଇଛି। ବିମାନବନ୍ଦରରୁ ଷ୍ଟାଡିୟମରେ ଖେଳାଳି ପହଞ୍ଚିବା ପର୍ଯ୍ୟନ୍ତ ଏହି ସିସିଟିଭି ସମସ୍ତ ଗତିବିଧି ଉପରେ ନଜର ରଖିବ । ସେହିପରି ଖେଳାଳି ଥିବା ହୋଟେଲ୍, ଗେଷ୍ଟହାଉସ ଏବଂ ଯିବା ଆସିବା ରାସ୍ତାରେ ମଧ୍ୟ ସିସିଟିଭି ଲଗାଯାଇଛି । କୌଣସି ଅସୁବିଧା ହେଲେ କଣ୍ଟ୍ରୋଲ ରୁମ୍ ସିଧାସଳଖ ଏ ସଂପର୍କରେ ଜାଣି ତଦନୁଯାୟୀ ପଦକ୍ଷେପ ନେବ ।