ପୁଣି ମାଡି ଆସୁଛି ବର୍ଷା । ଆଜିଠୁ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା । ଜାଣନ୍ତୁ କେଉଁଠି ହେବ ଅଧିକ ବର୍ଷା?

104

କନକ ବ୍ୟୁରୋ: ପୁଣି ମାଡି ଆସୁଛି ବର୍ଷା । ଆଜିଠୁ ୪ ଦିନ ଧରି ବର୍ଷିବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ଆଜିଠାରୁ ୨୦ ତାରିଖ ମଧ୍ୟରେ ୪ ଦିନ ଯାଏଁ ଉପକୂଳ ଓ ଉତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ବାରଣ କରିଛି ।

ତେବେ ୨୧ ତାରିଖରୁ ଲଘୁଚାପ ଛତିଶଗଡ ଓ ମଧ୍ୟପ୍ରଦେଶ ଅଭିମୁଖେ ଗତି କରିବ । ସେହିଭଳି ଉତର ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ଉତର ଓଡିଶାର ମୟୂରଭଞ୍ଜ ସମେତ ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଦକ୍ଷିଣ ଓଡିଶାର କୋରାପୁଟ, ଗଜପତି, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

 

 

ସେହିପରି ୨୦ ଓ ୨୧ ତାରିଖ ଦୁଇଦିନ ଧରି ଉପକୂଳ ଓଡିଶା ସମେତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।